ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଉପ-ସଭାପତି ହରେକୃଷ୍ଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ଉପ-ସଭାପତି ଅଶୋକ କୁମାର ଚାନ୍ଦ, ସଂପାଦକ କପିଳେଶ୍ୱର ଖମାରୀ ଏବଂ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ମଂଚାସୀନ ଥିଲେ । ପ୍ରଥମେ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ସମସ୍ତଙ୍କୁ ମଂଚକୁ ନିମନ୍ତ୍ରଣ କଲା ପରେ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂପାଦକ କପିଳେଶ୍ୱର ଖମାରୀ ସଂପାଦକୀୟ ବିବରଣୀ ଉପସ୍ଥାପନା ସହ ଏଜେଣ୍ଡା ମୁତାବକ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରସ୍ତାବ ଆଗତ କରିଥିଲେ ଏବଂ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦ୍ୱାରା ଆଲୋଚିତ ବିଷୟ ତଥା ପ୍ରସ୍ତାବ ଗୁଡିକ ଗ୍ରହଣ କରାଯାଇଥିଲା । କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ଆୟବ୍ୟୟର ବିବରଣୀ ଉପସ୍ଥାପନା କରିଥିଲେ । ଆଗାମୀ ଦିନରେ ପଂଚକର୍ମ ଏବଂ ଫିଜିଓଥେରାପି କ୍ୟାମ୍ପ କରାଯିବାକୁ ନିଷ୍ପତ୍ତି ନିଆଗଲା । ଆଲୋଚନାରେ ସମସ୍ତ ସଦସ୍ୟଙ୍କ ସହ ମୁଖ୍ୟତଃ ଅଶୋକ କୁମାର ମିଶ୍ର, ଦୁର୍ଗା ପ୍ରସାଦ ହୋତା, ପ୍ରମୋଦ କୁମାର ଗୁରୁ, ଚିତ୍ତ ରଂଜନ ପଟେଲ, ନିମାଇଁ ଚରଣ ମେହେର, ଆର୍ତ୍ତତ୍ରାଣ ମିଶ୍ର, ହରେକୃଷ୍ଣ ପଟେଲ, ଶିବ ଶଙ୍କର ଖୁଆସ, କୃଷ୍ଣଚନ୍ଦ୍ର ନାଥ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟାଳୟ ସଂପାଦକ ପଦବୀ ଖାଲି ଥିବାରୁ ସେହି ସ୍ଥାନରେ ଗଣେଷ ଚନ୍ଦ୍ର ପାଢୀଙ୍କୁ କାର୍ଯ୍ୟାଳୟ ସଂପାଦକ ଭାବରେ ସର୍ବସମ୍ମତିକ୍ରମେ ମନୋନୟନ କରାଯାଇଥିଲା । ଆଗାମୀ ଦିନରେ କବିତା ପାଠ କାର୍ଯ୍ୟକ୍ରମ କରିବା ଏବଂ ସ୍ମରଣିକା ମୁଦ୍ରଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମଂଚର ପ୍ରାରମ୍ଭରୁ ସଂଗଠନ ସଂପାଦକ ରହି ମଂଚ ପ୍ରତି ପ୍ରତ୍ୟେକ କାମରେ ଅହେତୁକ ସେବା କାର୍ଯ୍ୟ ଯୋଗାଇ ଦେଉଥିବାରୁ ବିନୟ କୁମାର ମିଶ୍ରଙ୍କୁ ମାନପତ୍ର ସହ ଉପଢୌକନ ଏବଂ ମଂଚ ପ୍ରତି ଅକୁଣ୍ଠ ସହଯୋଗର ହାତ ବଢେଇଥିବା ସଭ୍ୟ ସିନୁସୁନ୍ଦର ପାଢୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ନୂତନ ସଭ୍ୟ ଭାବରେ ରାମଲାଲ ସାହୁଙ୍କୁ ଗ୍ରହଣ କରାଯାଇଥିଲା । ପରିଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ ।

Leave A Reply

Your email address will not be published.