ମୁରିବାହାଲ ବ୍ଲକ ସଭାଗୃହରେ ‘ନିଧି” ଅନୁଷ୍ଠାନ ପକ୍ଷରୁ ବ୍ଲକସ୍ତରୀୟ ମିଳିତ ବିକାଶ ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନିଧି” ପକ୍ଷରୁ ଏକ ତ୍ରିପାକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ, ବ୍ଲକ ପଦାଧିକାରୀ, ଗ୍ରାମ ପଞ୍ଚାୟତ ପ୍ରତିନିଧି, ଗ୍ରାମ ରୋଜଗାର ସେବକ ଏବଂ ପ୍ରକଳ୍ପ ସହଭାଗୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିଧି ଅନୁଷ୍ଠାନ ତରଫରୁ ବ୍ଲକ ପ୍ରକଳ୍ପ ସଂଯୋଜକ ମାନସ ରଞ୍ଜନସିଂ ଲୋହାର ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ତାହା ପରେ ରାଜ୍ୟ କାର୍ଯ୍ୟକ୍ରମ ପ୍ରବନ୍ଧକ ଶିବ ପ୍ରସାଦ ସାହୁ ନିଧି ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଦୃଷ୍ଟିଭଂଗି ଏବଂ ମୁରିବାହାଲ ବ୍ଲକରେ ବିଭିନ୍ନ ପ୍ରକଳ୍ପ ଉପରେ ଉପସ୍ଥାପନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ନିଧି ଅନୁଷ୍ଠାନର କାର୍ଯ୍ୟକୁ ଉଚ୍ଚ ପ୍ରସଂସା କରିଥିଲେ । ସେ ତାଙ୍କ ଅଭିଭାଷଣରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମିଳିତ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଯଦି ସରକାରୀ କାର୍ଯ୍ୟରେ କେଉଁଠି ଅତିରିକ୍ତ କାର୍ଯ୍ୟର ଆବଶ୍ୟକତା ଅଛି ତେବେ ମୋତେ ସିଧା ସଳଖ ଭେଟି କହିପାରିବେ ବୋଲି ବିଡ଼ିଓ ପ୍ରକାଶ କରିଥିଲେ । ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି ମୁରିବାହାଲ ଭଳି ଏକ ପଛୁଆ ଅଂଚଳରେ ନିଧି ଭଳି ଅନୁଷ୍ଠାନର ଆବଶ୍ୟକତା ଅଛି ବୋଲି କହିଥିଲେ । ବ୍ଲକ ମନରେଗା କାର୍ଯ୍ୟକ୍ରମ ଅଧିକାରୀ ବସନ୍ତ ବଳିୟାରସିଂ ମନରେଗା କ୍ରିୟାନ୍ଵୟନରେ ନିଧି ଅନୁଷ୍ଠାନର ସହଯୋଗକୁ ଭୁୟସୀ ପ୍ରଶଂସା କରିଥିଲେ । ବ୍ଲକ ପ୍ରକଳ୍ପ ସଂଯୋଜକ ରବିନ୍ଦ୍ର ବେହେରା ଯୋଜନା ଓ କ୍ରିୟାନ୍ଵୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମ ପଂଚାୟତ ବିକାଶ ଅଧିକାରୀ ଏନ୍‌ଜେ ଥିଓଫିଲ ନିରନ୍ତର ବିକାଶ ହାସଲ ଲାଗି ସରକାରୀ ଓ ବେସରକାରୀ ଅନୁଷ୍ଠାନର ଆବଶ୍ୟକତା ଥିବା ଉଲ୍ଲେଖ କରିଥିଲେ । ଏହି ବୈଠକକୁ ପରିଚାଳନା କରିବାରେ କୁମାରୀ ରେବତୀ ମହାକୁର୍, କୃଷ୍ଣ ଦାଶ, ମୁନିରାମ ମାଝି ସହଯୋଗ କରିଥିଲେ । ପରିଶେଷରେ ନିଧି ଅନୁଷ୍ଠାନର ନବ କୁମାର ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.