pakka

ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ବୈଠକ

bbehera

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ଛତ୍ରପୁର ନାଗରିକ କମିଟୀର ଆଗତ କ୍ରମେ ଏକ ବୈଠକ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସହରର ବରିଷ୍ଠ ନାଗରିକ ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛତ୍ରପୁର ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପ୍ରକଟିତ ହୋଇଥିଲା । ବୈଠକର ମୁଖ୍ୟ ଆବାହକ ଆଇନଜୀବୀ ପ୍ରଦୀପ କୁମାର ପାଢୀ ଛତ୍ରପୁର ସହରର ବିବିଧ ବିକାଶ ଠପ୍ ହୋଇ ଯାଇଥିବା ବିଷୟରେ ବର୍ଣ୍ଣନା କରି କହିଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ସମସ୍ତ ଭିତ୍ତିଭୂମି ଓ ଜନସଂଖ୍ୟା ୪୦ ହଜାରରୁ ଉର୍ଦ୍ଧ୍ବ ହୋଇଥିବା ସାଂଗକୁ ଏହା ମ୍ୟୁନିସିପାଲଟି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଛତ୍ରପୁର ସହରକୁ ଏଯାଏଁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରପୁର ପ୍ରତି ଏହି ବୈମାତୃକ ମନୋଭାବ ଯୋଗୁଁ ଯଦି ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଘୋଷଣାରେ ବିଳମ୍ବ କରାଯାଏ ତେବେ ଛତ୍ରପୁରବାସୀଙ୍କ ତଥା ସର୍ବଦଳୀୟ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଜିଲ୍ଲାର ସଦର ମହକୁମାରେ ବହୁ କଷ୍ଟରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ଏକ ସୈନିକ ସ୍କୁଲ ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ଏହା ସହିତ ସହରର ବହୁ ପ୍ରାଚୀନ ସରକାରୀ କୋଠା, କଲୋନୀ, ମଠ, ମନ୍ଦିର, କୋଠଘର, ଶିକ୍ଷାନୁଷ୍ଠାନ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ହେତୁ ସେଗୁଡିକର ପୁନଃ ଉର୍ଦ୍ଧାର ଓ ନିର୍ମାଣ ମରାମତି କରିବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୂର୍ବତନ ନଗରପାଳ ତଥା ଆଇନଜୀବୀ ରାମଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ବାସଭବନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏନେଇ ବହୁବାର ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ଛତ୍ରପୁର ସହର ପରିସୀମା ମଧ୍ୟରେ ବହୁ ପୁରୁଣା ବନ୍ଧ, ପୋଖରୀ ତଥା ପୁଷ୍କରିଣୀ ଗୁଡିକର ପୁନଃ ଉଦ୍ଧାର କରାଗଲେ ସରକାରଙ୍କ ରାଜସ୍ୱ ଆୟ ବୃଦ୍ଧି ସାଙ୍ଗକୁ ଜଳ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ସୂଚାଇଥିଲେ । ଛତ୍ରପୁର ସବଡିଭିଜନ ହସପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ପ୍ରଦାନ କରାଯିବାକୁ ଡ଼ଃ.ରାଜେନ୍ଦ୍ର ଦାସ ମତବ୍ୟକ୍ତ ସ୍ୱରୂପ ଦାବୀ ଉପସ୍ଥାପନା କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ସୋମନାଥ ସାହୁ ଛତ୍ରପୁର ସହରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଶିକ୍ଷାଦାନର ବିପର୍ଯ୍ୟସ୍ଥ ହୋଇଥିବା ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ବହୁ ବର୍ଷ ହେଲା ମାନ୍ୟତା ଲାଭ କରିଥିଲେ ମଧ୍ୟ ଏହି ମହାବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ସମ୍ପୁର୍ଣ୍ଣ ବିପର୍ୟ୍ୟସ୍ଥ ନେଇ ଆଲୋଚନା ପ୍ରସଙ୍ଗରେ ମହାବିଦ୍ୟାଳୟରେ ଅଧ୍ୟାପକର ଅଭାବ ଏବଂ ଅନଲାଇନ କ୍ଲାସ ନ ହେବା ଦୁଃଖର ବିଷୟ ବୋଲି ମତ ପ୍ରକାଶ କରିଥିଲେ । ଛତ୍ରପୁର ମହିଳା ମହାବିଦ୍ୟାଳୟ କୋଠା ପୂର୍ବେ ଗାନ୍ଧୀ ଗୋପବନ୍ଧୁ ଭବନ ନାମରେ ଏକ ସ୍ମାରକୀ କୋଠା ଥିଲା । ତାହାକୁ ପୁନର୍ବାର କୌଣସି ଏକ କୋଠାରେ ଗାନ୍ଧୀ ଗୋପବନ୍ଧୁ ଭବନର ସ୍ମୃତି ରକ୍ଷା ଉର୍ଦ୍ଦେଶ୍ୟରେ ଏକ ନାମ ଫଳକ ଲଗାଇବା ନିମନ୍ତେ ବରିଷ୍ଟ ସାମ୍ବାଦିକ କେ. ସତ୍ୟ ନାରାୟଣ ରେଡ୍ଡୀ ମତପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଲକ୍ଷ୍ମୀ ନାରାୟଣ ପଣ୍ଡା, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି, ପି. ଚନ୍ଦ୍ର ଶେଖର, ସନ୍ତୋଷ କୁମାର ସାହୁ, ଆଇନଜୀବୀ ଶଶି ଭୂଷଣ ପଟ୍ଟନାୟକ, ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ଦାଶ, ଦିଲ୍ଲୀପ କୁମାର ପଲାଇ, ୟୁଥ ମାସ୍ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସହରର ବିଭିନ୍ନ ଆନୁସାଙ୍ଗିକ ଅବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଏ ସମସ୍ତ ବିଷୟକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.

4 × 4 =