pakka

ସରକାରୀ କ୍ୱାଟର୍ସରେ ପୋକ୍‌ସୋ କୋର୍ଟର ବିଚାରପତିଙ୍କ ଆତ୍ମହତ୍ୟା

bbehera

କଟକ : ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ‌ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ୱାଟର୍ସରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସିଡିଏ ସେକ୍ଟର ୯ ସ୍ଥିତ କ୍ୱାଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ତଥା ଉଦ୍‌ବେଗର କାରଣ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି । କିନ୍ତୁ, ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ବିଚାରପତି ସୁବାସ କୁମାର ବିହାରୀ ସିଡିଏ ସ୍ଥିତ ତାଙ୍କର ସରକାରୀ କ୍ବାର୍ଟର୍ସରେ ପରିବାର ସହିତ ରହୁଥିଲେ । ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ । ବଡ଼ଝିଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନଝିଅ ସପ୍ତମ ଶ୍ରେଣୀର ଛାତ୍ରୀ । ସେମାନେ ସ୍କୁଲ୍‌ ଯାଇଥିବା ବେଳେ ପତ୍ନୀ ବି କୌଣସି କାମରେ ବାହାରକୁ ଯାଇଥିଲେ । ବିଚାରପତିଙ୍କ କର୍ମଚାରୀମାନଙ୍କ ମଧ୍ୟରୁ କେତେଜଣ କୋର୍ଟ ଯାଇଥିଲେ । ଅନ୍ୟଜଣେ ତଳିଆ କର୍ମଚାରୀ ବାହାର ଅଗଣାରେ ଥିଲେ । ଦିନ ପ୍ରାୟ ୧୨ଟା ବେଳକୁ ସେ ଶୋଇବା ଘର କବାଟ ଭିତରୁ ବନ୍ଦ କରି ବେକରେ ରଶି ଗୁଡ଼ାଇ ସିଲିଂ ଫ୍ୟାନ୍‌ରୁ ଝୁଲି ପଡିଥିବା ସନ୍ଦେହ କରାଯାଉଛି । ବିଚାରପତି ଏଭଳି ଝୁଲି ରହିଥିବା ଦୃଶ୍ୟ ଅଗଣାରେ ଥିବା କୋର୍ଟ କର୍ମଚାରୀ ଝରକା ବାଟେ ଦେଖିବା ପରେ ‌ସେ ତୁରନ୍ତ ବିଚାରପତିଙ୍କ ପତ୍ନୀଙ୍କୁ ଫୋନ୍ କରି ଜଣାଇଥିଲେ । ତାଙ୍କର ପତ୍ନୀ ଘରକୁ ଫେରି ଆସି ଘର କବାଟ ଭିତରପଟୁ ବନ୍ଦ ଥିବା ଜାଣିଥିଲେ । ଏ ସଂପର୍କରେ ମର୍କତନଗର ଥାନାକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା ।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ଗଲା ଦୁଇଦିନ ଧରି କୋର୍ଟ ଛୁଟି ଥିବା ବେଳେ ଶୁକ୍ରବାର ସକାଳେ ବିଚାରପତି ସୁବାସ କୁମାର ବିହାରୀ ତାଙ୍କ ଷ୍ଟେନୋଙ୍କୁ ଫୋନ୍‌ କରି ଆଉ ଦୁଇ ଦିନ ଛୁଟିରେ ରହିବେ ବୋଲି କହିଥିଲେ । କିନ୍ତୁ, ଘରେ ନିଜକୁ ଏକୁଟିଆ ରଖି ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିଲେ । ଏ ସଂପର୍କରେ ଖବର ପାଇ ଜିଲ୍ଲା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ, ଅତିରିକ୍ତ ଜିଲ୍ଲା ଜଜ୍ ଅଶୋକ କୁମାର ପହୀ, ଆଇନଜୀବୀ ଅକ୍ଷୟ କୁମାର ପତି, ଦିଲ୍ଲୀପ ମହାରଣା, ସୁବାସ ମହାନ୍ତି, ବାପି ପାଣିଗ୍ରାହୀଙ୍କ ସମେତ ବିଚାର ବିଭାଗର ଅଧିକାରୀ ଓ ବହୁ ଆଇନଜୀବୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସୁବାସ କୁମାର ବିହାରୀ ୨୦୨୧, ଏପ୍ରିଲ ୬ ତାରିଖରୁ ପୋକ୍‌ସୋ କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପୋକ୍‌ସୋ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡିତ କରିବା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇ ସେ ଚର୍ଚ୍ଚାରେ ଥିଲେ ।

jay balangir
Leave A Reply

Your email address will not be published.

fourteen + nine =

error: Content is protected !!