
ଚମ୍ପୁଆ, (କେପିଏନ୍ଏସ୍) : ଗତ ରାତିରେ ଚମ୍ପୁଆ ସହରରେ ଦେଖିବାକୁ ମିଳିଥିଲା ଦନ୍ତା ହାତୀର ଆତଙ୍କ । ଝାଡ଼ଖଣ୍ଡ ପଟୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ହାତୀ ଗୋଧୂଳି ସମୟରେ ସହର ଭିତରକୁ ପଶି ଏଣେତେଣେ ବୁଲୁଥିବା ଦେଖାଯାଇଥିଲା । ହାତୀ ସହରରେ ପଶିଥିବା ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ଚମ୍ପୁଆ ରେଞ୍ଜ ଅଧିକାରୀ ଓ କର୍ମଚାରୀମାନେ ଦନ୍ତାର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ହାତୀକୁ ସହର ଓ ବଜାର ଅଞ୍ଚଳରୁ ଘଉଡ଼ାଇଥିଲେ । ଦନ୍ତା ହାତୀଟି ଚମ୍ପୁଆ ବଜାର ଦେଇ ଛଅ ନମ୍ବର ୱାର୍ଡ, ମୁସଲିମ ବସ୍ତି ଏବଂ ଏକ ନମ୍ବର ୱାର୍ଡ ଅତିକ୍ରମ କରି ଗୋଧୂଳି ବୈତରଣୀ ନଦୀ ନିକଟ ଏକ ଆମ୍ବ ବଗିଚାକୁ ଚାଲିଯାଇଥିଲା । ସୌଭାଗ୍ୟବଶତଃ ହାତୀ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । ତେବେ ବାରମ୍ବାର ହାତୀ ସହର ଭିତରକୁ ପଶିଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି । ହାତୀ-ମଣିଷ ସଂଘର୍ଷକୁ ରୋକିବା ସହ ଏଭଳି ଘଟଣାର ସ୍ଥାୟୀ ସମାଧାନ ପାଇଁ ବନ ବିଭାଗ ତତ୍ପର ପଦକ୍ଷେପ ନେବାକୁ ଦାବି ହେଉଛି ।