କଲମପୁର ବ୍ଲକରେ କୁମ୍ଭୀର ଆତଙ୍କ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାଲୁବୁଟ୍ରା ଗ୍ରାମ ନିକଟସ୍ଥ କୁସୁମଜୋରରେ ଆଜି ଏକ କୁମ୍ଭୀର ଥିବା ସ୍ଥାନୀୟଲୋକେ ଦେଖିଥିଲେ । ଏହି ଖବର ଜଣାପଡିବାପରେ କୁମ୍ଭୀର ଦେଖିବାପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । କୁମ୍ଭୀରଟି ଏକ ଫାସରେ ଫସି ରହିଥିଲା । ଗତ କିଛିଦିନ ପୂର୍ବରୁ ଜୁନାଗଡ଼ ବ୍ଲକ ପଲାସ ଗ୍ରାମ ନିକଟସ୍ଥ ହାତୀ ନଦୀରେ ମାଛ ଧରିବା ସମୟରେ ଏକ କୁମ୍ଭୀର ଜାଲରେ ପଡିଥିଲା । କିନ୍ତୁ କିଛି ସମୟ ପରେ ଜାଲକୁ ଚିରି କୁମ୍ଭୀରଟି କୁଆଡେ ଚାଲିଯାଇଥିଲା । ସୋମବାର ପୁଣି ହାତୀ ନଦୀ ସଂଲଗ୍ନ କୁସୁମଜୋରରେ କୁମ୍ଭୀର ଦେଖାଦେବାପରେ ହାତୀନଦୀ ନିକଟବର୍ତ୍ତୀ ଲୋକେ ଆତଙ୍କିତ ଅଛନ୍ତି । ଖବର ପାଇ ବନ ବିଭାଗର ଅଧିକାରୀ ମାନେ ଭାଲୁବୁଟ୍ରାରେ ପହଞ୍ଚି ସୁରକ୍ଷିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । କୁମ୍ଭୀରଟି ୨. ୬୦ ମିଟର ଥିବାବେଳେ ତା ଦେହରେ ୩୨୨ ନମ୍ବର ଲେଖାଯାଇଛି । ସାତ କୋଶିଆ କୁମ୍ଭୀର ଗଣନା ସମୟରେ ଏହି ନମ୍ବର ଲେଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସାତକୋଶିଆରୁ କଳାହାଣ୍ଡିକୁ କିଭଳି ଏବଂ କେଉଁ ପରିସ୍ଥିତିରେ କୁମ୍ଭୀରଟି ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କୁମ୍ଭୀରକୁ କେଉଁଠିକୁ ପଠାଯିବ ତାହା ଜଣାପଡିବ ବୋଲି ଉଦ୍ଧାରକାରୀ ବନବିଭାଗ ଅଧିକାରୀ ମତବ୍ୟକ୍ତ କରିଛନ୍ତି । କୁମ୍ଭୀରଟିକୁ ଦେଖିବାପାଇଁ ଶହ ଶହ ଲୋକ ଭାଲୁବୁଟ୍ରାରେ ଜମା ହୋଇଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ କଲମପୁର ପୁଲିସ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.