pakka

ମିଳୁନି ଆବାସ ଗୃହ : ବିପଦ ସଂକୁଳ ଘରେ ଚାରି ଜଣଙ୍କ ସହ ଅସହାୟ ବୃଦ୍ଧ

bbehera

କଳାହାଣ୍ଡି, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଗୌଡ଼ଟୋଲା ଗ୍ରାମର ଏକ କରୁଣ ଚିତ୍ର ସମ୍ନାକୁ ଆସିଛି। ଏହି ଗାଁର ଦୟାନିଧି ସାହୁ(୭୦) ଜଣେ ଗରିବ ଲୋକ । ବୃଦ୍ଧ ବୟସରେ କାମ କରି ପେଟ ପୋଷିବା ତାଙ୍କ ପାଇଁ କଷ୍ଟ ହୋଇଥାଏ । ସେ ଗ୍ରାମରେ ଥିବା ଏକ ମାଛ ଚାଷ ପୋଖରୀର ଜଗୁଆଳି ହୋଇ ପରିବାର ପ୍ରତିପୋଷଣ କରନ୍ତି । ଏହା ଛଡା ପରିବାରରେ ସ୍ତ୍ରୀ କୁମଦିନୀ ସାହୁ ଓ ବିଧବା ଝିଅ ପ୍ରତିମା ସାହୁଙ୍କ ସହିତ ଦୁଇଟି ନାତୁଣୀ ଅଛନ୍ତି । ଜମିବାଡ଼ି କିଛି ନାହିଁ । ସରକାରଙ୍କ ତରଫରୁ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ତୋଦୟରେ ୩୫ କେଜି ପିଡିଏସ୍ ଚାଉଳ ।
ଦୟାନିଧିଙ୍କ ସ୍ତ୍ରୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ରୋଷେୟା ଭାବେ କାର୍ୟ୍ୟ କରନ୍ତି । ତାଙ୍କ ବୟସ ମଧ୍ୟ ୬୦ରୁ ଅଧିକ ହୋଇଥିବା ବେଳେ କାମ କରିବା କଷ୍ଟ ହେଉଛି । ଗୋଟିଏ ମାତ୍ର ଝିଅ ପ୍ରତିମା ସାହୁ । ପ୍ରତିମାଙ୍କୁ ଗୋଳାମୁଣ୍ଡା ବ୍ଲକ କେନ୍ଦୁମୁଡ଼ି ଗ୍ରାମରେ ବାହା ଦେଇଥିଲେ । ତାଙ୍କର ଦୁଇଟି ଶିଶୁ କନ୍ୟା ଅଛନ୍ତି । ପ୍ରତିମାଙ୍କ ସ୍ୱାମୀ ୨୦୦୩ ମସିହାରେ ମୃତ୍ୟୁବରଣ କଲାପରେ ଶ୍ବଶୁର ଘରେ ରହିବା କଷ୍ଟ ହୋଇଥିଲା । ତେଣୁ ସେ ୨୦୦୬ ମସିହାରୁ ଶାଶୁଘରୁ ଆସି ନିଜ ଦୁଇ ଝିଅଙ୍କ ସହିତ ୧୪ ବର୍ଷ ହେଲା ମା’ବାପା ପାଖରେ ରହୁଛି । ପ୍ରତିମା ଦୁଇ ଝିଅଙ୍କୁ ବହୁ କଷ୍ଟରେ ପୋଷିବା ସହିତ ବୁଢାବୁଢ଼ୀ ମା’ବାପାଙ୍କ ମଧ୍ୟ ଯତ୍ନ ନେଉଛି । ଅନ୍ୟପକ୍ଷେ ଗାଁରେ କାମଧନ୍ଦା ନ ମିଳିବା ଯୋଗୁଁ ଭୋକ ଉପବାସରେ ଅଧିକାଂଶ ଦିନ ରହିବାକୁ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।


ତେଣୁ ୨୦୧୫ ମସିହାରେ ପ୍ରତିମାଙ୍କ ଗାଁର ଆଶାକର୍ମୀରେ କାମ କରିବା ପାଇଁ ତତ୍କାଳୀନ କଳାହାଣ୍ଡି ଉପ ଜିଲ୍ଲାପାଳ ସୁକାନ୍ତ ମହାରଣାଙ୍କୁ ଅନୁରୋଧ କରିଥିଲେ । ତାଙ୍କ ସୁପାରିଶ କ୍ରମେ ପ୍ରତିମା ନିଜ ଗାଁରେ ଆଶାକର୍ମୀ ଭାବେ କାର୍ୟ୍ୟ କରୁଛନ୍ତି । ହେଲେ ଅର୍ଥ ଅଭାବରୁ ରହିଥିବା ଭଙ୍ଗା ଘରକୁ ମରାମତି କରି ପାରୁ ନାହାଁନ୍ତି । ବର୍ଷା ହେଲେ ଘରେ ପାଣି ଗଳୁ ଥିବାରୁ ଘର ଉପରେ ପଲିଥିନ ଖଣ୍ଡେ ପକାଉଛନ୍ତି । ସବୁଠାରୁ ବିପଦ ସଂକେତରେ ରହିଛି ଘରର କାନ୍ଥ । ଦୁଇ ଚାରିଟି କାଠକୁ ଦେଇ କାନ୍ଥକୁ ଠେଲିକି ରଖାଯାଇଛି। କେଉଁ ମୁହୂର୍ତ୍ତରେ ଭୁଷୁଡିବ କହିହେବ ନାହିଁ । ବର୍ତ୍ତମାନ ୫ ପ୍ରାଣୀ ସେହି ଭାଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ଆବାସ ଗୃହ ଟିଏ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଦୌଡ଼ି ଦୌଡ଼ି ଥକି ପଡିଲେଣି । କେଉଁ ବର୍ଷ ଘର ପାଇଁ ତମର ଲିଷ୍ଟ ଆସିଛି କହୁଛନ୍ତି । କେବେ କହୁଛନ୍ତି ତମର ଏସିସି ଲିଷ୍ଟରେ ନାମ ନାହିଁ ବୋଲି । ଆଜିକି ପ୍ରାୟ ୧୫ ବର୍ଷ ହେଲା ହଇରାଣ ହେଉଛନ୍ତି ଏହି ଗରିବ ପରିବାର । ଏଥିପାଇଁ ବ୍ଲକ ପ୍ରଶାସନ ଅତିଶୀଘ୍ର ଦୟାନିଧିଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

jay balangir
Leave A Reply

Your email address will not be published.

5 × three =