ମହାନ୍‌ ସ୍ରଷ୍ଟା ପୁରୁଷ ଅଭୟ କୁମାର ପାଢ଼ୀ ଚାଲିଗଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନା ଆମଠୁ ଛଡେ଼ଇ ନେଇ ଚାଲିଛି ଆମର ପ୍ରିୟଜନଙ୍କୁ । ଆଜି ଜଣେ ସୃଜନଶୀଳ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଅଭୟ କୁମାର ପାଢ଼ୀ କରୋନାରେ ମୃତ୍ୟୁବରଣ କରିଥିବା ଖବର ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁସାରେ କରୋନା ଆକ୍ରାନ୍ତ ହେବାପରେ ତାଙ୍କୁ ବରଗଡ଼ ସ୍ଥିତ ବିକାଶ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଗତ ମଙ୍ଗଳବାର ଦିନରୁ ସେ ଭେନ୍‌ଟିଲେଟର୍‌ରେ ଥିଲେ । ତେବେ ଆଜି ତାଙ୍କ ପରଲୋକ ହୋଇଯାଇଥିବା ମେଡ଼ିକାଲ୍‌ ପକ୍ଷରୁ କୁହାଯାଇଛି । ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ମହାନ୍‌ ସ୍ରଷ୍ଟା ପୁରୁଷ ଆକାଶବାଣୀ ଓ ଦୂରଦର୍ଶନ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରୁ ୨୦୦୯ରେ ଅବସର ଗ୍ରହଣ କରିଥିଲେ । ସାରା ଜୀବନ ସାହିତ୍ୟ ଓ ସଂସ୍କୃତି ପାଇଁ ସାଧନାରତ ଅଭୟ କୁମାର ପାଢ଼ୀଙ୍କ ଦୁଇଟି କବିତା ପୁସ୍ତକ ‘ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣ୍ଣନା’ ଓ ‘ଋତୁପ୍ରତି’, ଦୁଇଟି ଗଳ୍ପ ପୁସ୍ତକ ‘ମିଛକଥା’ ଓ ‘ଗୁପାଗୁଲା’ ଏବଂ ଏକ ଭାଷା ସମ୍ବନ୍ଧୀତ ଏକ ଇଂରାଜୀ ପୁସ୍ତକ ପ୍ରକାଶିତ ହୋଇଥିଲା । ଜଣେ ସୁନାମଧନ୍ୟ କବି, ସୁବକ୍ତା, ଆଲୋଚକ, ପ୍ରାବନ୍ଧିକ ତଥା ସଂସ୍କୃତି ଗବେଷକ ଭାବେ ସାରା ଓଡ଼ିଶାରେ ସେ ଜଣାଶୁଣା ।ତାଙ୍କ ପରଲୋକରେ ସାରା ଓଡ଼ିଶାର ଅପୂରଣୀୟ କ୍ଷତି ଘଟିଥିବା ବେଳେ ଚାରିଆଡେ଼ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

17 + twenty =