csstore

ବଲାଙ୍ଗିରରେ ଜାରି ରହିଛି ଧୂଆଁଧାର୍‌ ଅପରାଧିକ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୂଆଁଧାର୍‌ ଅପରାଧିକ ଘଟଣା ବଲାଙ୍ଗିରରେ ଜାରି ରହିଛି । ବଲାଙ୍ଗିର ପୋଲିସ ପକ୍ଷରୁ ନିଆଯାଉଥିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ଅପରାଧ ରୋକିବାରେ ସକ୍ଷମ ହୋଇ ପାରୁନଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହର ଉପକଣ୍ଠରେ କ୍ରମାଗତ ଲୁଟ୍ କରୁଥିବା ବଲାଙ୍ଗିର ସଦର ଏବଂ ପୁଇଁତଳା ଥାନା ପୋଲିସ ୩ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ବିଭୂତିପଡାର ଶିତୁ ଓରଫ୍ ଆକାଶ ସ୍ୱାଇଁ, ବିଜୟ ନାଗ ଏବଂ ସମ୍ବଲପୁର ବଡ଼ବଜାର ଅଂଚଳର ସଂସ୍କାର ସରାଫ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ବନବିଭାଗରେ କାମ କରୁଥିବା ବିଲେଇକାନୀ ଗାଁର ନିରଞ୍ଜନ ବିଶ୍ୱାଳ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ନିଜ ଗାଁକୁ ବାଇକ୍‌ରେ ଫେରୁଥିବା ବେଳେ ଖୁଜେନପାଲି ନାଳା ପାଖରେ ଉପରୋକ୍ତ ତିନି ଅଭିଯୁକ୍ତ ନିରଞ୍ଜନଙ୍କୁ ଅଟକାଇ ତାଙ୍କ ବାଇକ୍, ଟଙ୍କା ଏବଂ ମୋବାଇଲ ଲୁଟି ନେଇ ଫେରାର୍‌ ହୋଇଯାଇଥିଲେ । ସେଠାରୁ ଲୁଟ୍ କରି ଫେରାର ହେବା ପରେ ସଦର ଥାନା ଅନ୍ତର୍ଗତ ତଥା ବଲାଙ୍ଗିର-ବରଗଡ ଜାତୀୟ ରାଜପଥ-୨୬ର ଛୁଇଁବନ୍ଧ ନିକଟରେ ଜଣେ ବାଇକ୍ ଆରୋହୀଙ୍କୁ ଅଟକାଇ ତାଙ୍କ ବୁଲେଟ୍ ଛଡାଇ ନେଇଥିଲେ । ଏହି ଦୁଇ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା । ସହରର ସିସିଟିଭି ଯାଞ୍ଚ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ୩ ଲୁଟ୍ ବାଇକ୍ ଉଦ୍ଧାର କରିଥିବା ସୂଚନା ମିଳିଛି । ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି ।

jayashree
Leave A Reply

Your email address will not be published.