csstore

ମୁରିବାହାଲରୁ ନିଖୋଜ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାରୁ ରେଳ କର୍ମଚାରୀ ଘନଶ୍ୟାମ ଭୋଇ ଗିରଫ

  • ପୋକସୋ କୋର୍ଟ ଚାଲାଣ, ଛାତ୍ରୀ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାରୁ ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀ(୧୬)ଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାର ରେଳ କର୍ମଚାରୀ ତଥା ଲୋଇସିଂହା ଥାନା ମୁରସୁଣ୍ଡ ଗ୍ରାମର ବିବାହିତ ଘନଶ୍ୟାମ ଭୋଇ (୪୭)ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମୁରିବାହାଲର ସ୍ଥାନୀୟ କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିବା ସମ୍ପୃକ୍ତ ନାବାଳିକା କଲେଜ ଛାତ୍ରୀଜଣଙ୍କ ଗତ ୯ ତାରିଖରୁ ଘରୁ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ପୁଲିସ ଥାନାରେ କେସ ନଂ ୩୬୯/୨୪ରେ ମାମଲା ରୁଜ୍ଜୁ କରି ଏସ୍‌ଆଇ ଦନାର୍ଦନ ଓରାମ ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲେ । ପୁଲିସ ସମ୍ପୃକ୍ତ କଲେଜ ଛାତ୍ରୀଜଣଙ୍କ ନିଜ ମାମୁଁଘର କେସିଙ୍ଗା ଅଞ୍ଚଳରେ ଥିବା ଜାଣିପାରିଥିଲା । ସେଠାରେ ଥିବା ଏକ ରେଳ ବିଭାଗ କୋଠରୀରେ ଚଢାଉ କରି ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ନାବାଳିକାଙ୍କୁ ଅପହରଣ କରି ଆଣି ନିଜ ପାଖରେ ରଖିଥିବା ଅଭିଯୋଗରେ ପୁଲିସ ଲୋଇସିଂହା ଥାନା ମୁରସୁଣ୍ଡ ଗ୍ରାମର ମୂଳ ବାସିନ୍ଦା ତଥା ଏବେ କେସିଙ୍ଗା ରେଳ ବିଭାଗରେ ଗ୍ୟାଙ୍ଗମ୍ୟାନ ଥିବା ବିବାହିତ ଘନଶ୍ୟାମ ଭୋଇ(୪୭)ଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଜଣଙ୍କ ନିଜେ ଜଣେ କବି ହୋଇଥିବା ବେଳେ ସେ ଅନେକ ପ୍ରକାରର କବିତା, ଗୀତ ଆଦି ରଚନା କରିବା ସହ ସମାଜର ବିଭିନ୍ନ ସାମାଜିକ ସଙ୍ଗଠନ କାର୍ଯ୍ୟରେ ଯିବା ଆସିବା କରିବା ଭିତରେ ସଂପୃକ୍ତ ଛାତ୍ରୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଜଣାପଡିଛି । ସେ ବିବାହିତ ହୋଇଥିବା ବେଳେ ଟିଟିଲାଗଡରେ ଥିବା ନିଜ ଘରେ ତାଙ୍କ ସ୍ତ୍ରୀ, ନବମରେ ପଢୁଥିବା ଜଣେ ଝିଅ ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ପୁଅ ଥିବା ଜଣାପଡିଛି । ପୁଲିସ ଅଭିଯୁକ୍ତଙ୍କୁ ଆଣି ଅଧିକ ତଦନ୍ତ ସହ ଉଭୟ ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଥିଲା । ପୁଲିସ ଅଧିକ ତଦନ୍ତ ପରେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ରେଳ କର୍ମଚାରୀ ଘନଶ୍ୟାମ ଭୋଇଙ୍କୁ ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ପ୍ରେମ କରି ତାଙ୍କୁ ଅପହରଣ କରିନେଇ ନିଜ ପାଖରେ ରଖିଥିବା ଜଣେ ବୟସ୍କ ବ୍ୟକ୍ତି ଗିରଫ ହୋଇ ଜେଲ ଯିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

jayashree
Leave A Reply

Your email address will not be published.