jayashree

ଭୁବନେଶ୍ୱରରେ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ

  • ଆସନ୍ତାକାଲି ପୁରୀରେ ଆୟୋଜିତ ହେବ ସ୍ୱତନ୍ତ୍ର ଡିଏଲ୍‌ସି ଶିବିର
  • ଚଳିତ ମାସ ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲ୍‌ସି ୩.୦ ଅଭିଯାନ
  • ପେନ୍‌ସନ୍‌ଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ

ଭୁବନେଶ୍ୱର, (ପିଆଇବି) : ପେନ୍‌ସନ୍‌ ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ (ଡିଏଲ୍‌ସି) ଅଭିଯାନ ୩.୦ ଆୟୋଜନ କରୁଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର, ନୟାପଲ୍ଲୀ, ଜନପଥ, ରାମ ମନ୍ଦିର, ଖଣ୍ଡଗିରି, ଭୌମନଗର ମୁଖ୍ୟ ଡାକ ଘର, ଝାରପଡ଼ା ଆଦି ସ୍ଥାନରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲ୍‌ସି) ଶିବିର ଆୟୋଜନ କରାଯାଇଥିଲା । ପେନ୍‌ସନ୍‌ ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଆଇପିପିବି, ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ପେନ୍‌ସନ୍‌ଭୋଗୀମାନଙ୍କୁ ଡିଏଲ୍‌ସି ପାଇଁ ସହାୟତା କରିଥିଲେ ଏବଂ ଫେସ୍ ଅଥେଟିକେସନ୍ ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ । ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟପକ୍ଷରେ ଆସନ୍ତାକାଲି ପୁରୀ ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ । ଏହି ଶିବିର ବ୍ୟାଙ୍କ ବରୋଦା ସ୍ୱର୍ଗଦ୍ୱାର, ପୁରୀ ଶାଖା ଏବଂ ମୁଖ୍ୟ ଡାକ ଘର, କଚେରୀ ଛକ ପୁରୀ ଠାରେ ଆୟୋଜନ କରାଯିବ । ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲ ଶିବିର ପରିଦର୍ଶନ କରି ଡିଜିଟାଲ ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବାରେ ପେନସନଭୋଗୀଙ୍କୁ ସହାୟତା ଯୋଗାଇ ଦେବେ । ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନ୍‌ସନ୍‌ଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା । ୨୦୧୪ରେ, ଡିଓପିପିଡବ୍ଲ୍ୟୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଜୀବନ ପ୍ରମାଣ) ଏବଂ ୨୦୨୧ରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ଆରମ୍ଭ କରିଥିଲା । ଏହି ଅଗ୍ରଗତି ବାୟୋମେଟ୍ରିକ୍ ଡିଭାଇସର ଆବଶ୍ୟକତାକୁ ଦୂର କରିଥିଲା, ପ୍ରକ୍ରିୟାକୁ ଅଧିକ ସୁଗମ କରିଥିଲା । ୨୦୨୨ରେ ଡିଓପିପିଡବ୍ଲ୍ୟୁ ୩୭ଟି ସ୍ଥାନରେ ଏକ ଅଭିଯାନ ଆୟୋଜନ କରିଥିଲା ଯେଉଁଥିରେ ୧ କୋଟି ୪୦ ଲକ୍ଷ ଡିଏଲ୍‌ସି କରାଯାଇଥିଲା । ୨୦୨୩ ଅଭିଯାନ ୧୦୦ଟି ସ୍ଥାନକୁ ବିସ୍ତାରିତ ହୋଇଥିଲା ଏବଂ ୧ କୋଟି ୪୭ ଲକ୍ଷରୁ ଅଧିକ ଡିଏଲସି କରାଯାଇଥିଲା । ୨୦୨୪ ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି । ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନ୍‌ସନ୍‌ଭୋଗୀ ସଂଘ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଏଥିରେ ପ୍ରମୁଖ ଅଂଶୀଦାର ରହିଛନ୍ତି । ପେନ୍‌ସନ୍‌ଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲରେ ସାହାଯ୍ୟ କରିବା ପାଇଁ ସହରରେ ଶିବିର ସ୍ଥାପନ କରାଯିବ । ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନସନ୍‌ଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସମେତ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଡିଏଲ୍‌ସି ପୋର୍ଟାଲ ମାଧ୍ୟମରେ ଡିଓପିପିଡବ୍ଲ୍ୟୁ ଅଭିଯାନର ତଦାରଖ କରିବା ସହିତ ସୋସିଆଲ ମିଡିଆରେ ଏହାର ପ୍ରଚାରପ୍ରସାର କରାଯିବ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା କିମ୍ବା ଚଲାବୁଲା କରିପାରୁନଥିବା ପେନସନ୍‌ଭୋଗୀମାନଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ପେନ୍‌ସନ୍‌ ଯୋଗାଇ ଦେବା ।

Leave A Reply

Your email address will not be published.