
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ନଅଗାଁ-କ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ଭୋଇଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବୈଠକରେ ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଶ୍ୟାମ ମେହେର ସଭାପତିତ୍ୱ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ବ୍ଲକ ବିଜ୍ଞାନ ସଂଯୋଜକ ତାରାକାନ୍ତ ମିଶ୍ର, ବିଜ୍ଞାନ କନଭେନର ଶ୍ରୀପତି ପଟେଲ ଏବଂ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ଭୋଇ ଉପସ୍ଥିତ ଥିଲେ । ସିଆରସିସି ଦେବାଶିଷ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଜ୍ଞାନ ଶିକ୍ଷକ ଏବଂ ସିଆର୍ସିସିମାନେ ଯୋଗଦେଇ ଆଗାମୀ ବିଜ୍ଞାନ ମେଳାର ସୁପରିଚାଳନା, ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସର୍ବସମ୍ମତିକ୍ରମେ ଆସନ୍ତା ୨୫ ନଭେମ୍ବର ୨୦୨୬ ତାରିଖରେ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟ, ନଅଗାଁ-କ ପରିସରରେ ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା । ବୈଠକରେ ପ୍ରଧାନଶିକ୍ଷକ ଦିଲ୍ଲୀପ ବେହେରା, ଶେଷଦେବ ସାହୁ, ସୁଶାନ୍ତ ମଲ୍ଲିକ, ଦିଲ୍ଲୀପ ଧଳ, ଉମେଶ କୁମାର ଭୋଇ, ଅଜିତ ହୋତା, ସୁଜିତ ଶତପଥି, ରୀନା ମେହେର, ଗୋବିନ୍ଦ ସାହୁ, ବିରଞ୍ଚି ସାହୁ, ପ୍ରହ୍ଲାଦ ମିଶ୍ର, ମନୋରଞ୍ଜନ ସାହୁ, ଖିରୋଦ ସାହୁ, ଉଦ୍ଧବ ଘିବେଲା, କୌଶିକ ବରିହା, ସୁଜିତ କୁମାରଙ୍କ ସମେତ ସିଆରସିସି ଅନିରୁଦ୍ଧ ଭୋଇ, ଚନ୍ଦ୍ରକାନ୍ତ ବେହେରା, ପରେଶ କୁମାର ସାହୁ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ବିଜ୍ଞାନ ମେଳାକୁ ସଫଳ କରିବା ନିମନ୍ତେ ନିଜ ନିଜର ମତାମତ ଓ ପରାମର୍ଶ ରଖିଥିଲେ । ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଓ ଉଦ୍ଭାବନୀ ଚିନ୍ତାଧାରାର ବିକାଶ ହେବା ସହ ଏହା ଶିକ୍ଷାକ୍ଷେତ୍ରରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥିଲା ।