
ବଲାଙ୍ଗିର, (କେପିଏନ୍ଏସ୍) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଞ୍ଚଳିକ ଶିକ୍ଷା ବିକାଶ କମିଟି, ରେଙ୍ଗାଲି ପକ୍ଷରୁ ଏକ ଶିକ୍ଷଣୀୟ ପରିଭ୍ରମଣ ଆୟୋଜନ କରାଯାଇଥିଲା । ପାଠ୍ୟପୁସ୍ତକର ଜ୍ଞାନକୁ ବାସ୍ତବ ଅନୁଭୂତି ସହ ଯୋଡ଼ିବା ଓ ଭବିଷ୍ୟତ କ୍ୟାରିୟର ପାଇଁ ପ୍ରେରଣା ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବଲାଙ୍ଗିରସ୍ଥିତ ସିଆରପିଏଫ୍ କ୍ୟାମ୍ପ, କୃଷି ବିଜ୍ଞାନ କେନ୍ଦ୍ର, ଏସ୍ପି କାର୍ଯ୍ୟାଳୟ ଓ ରାଜ୍ୟ ହୋଟେଲ ପ୍ରବନ୍ଧନ ସଂସ୍ଥା ପରିଦର୍ଶନ କରିଥିଲେ । ସେଠାରେ ଯବାନଙ୍କ ଶୃଙ୍ଖଳା ଓ ଦେଶପ୍ରେମ, ମୃତ୍ତିକା ପରୀକ୍ଷା, ଜୈବିକ କୃଷି, ଜିଆ ଖତ ପ୍ରସ୍ତୁତି, ପୋଲିସ ସେବାରେ କ୍ୟାରିୟର, ସାଇବର ଅପରାଧ ଓ ଡିଜିଟାଲ୍ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ହୋଟେଲ ପ୍ରବନ୍ଧନ ଓ ଆତିଥ୍ୟ ସେବା କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ବିଷୟରେ ମଧ୍ୟ ଅବଗତ ହୋଇଥିଲେ । ବଲାଙ୍ଗିର ଏସ୍ପି ଅଭିଳାଷ ଜୀଙ୍କ ସମେତ ଦୁଇଜଣ ଅତିରିକ୍ତ ଏସ୍ପି ଓ ଦୁଇଜଣ ଡିଏସ୍ପି ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଥିଲେ । ଶିକ୍ଷା ବିକାଶ କମିଟିର ସମ୍ପାଦକ ହୃଷୀକେଶ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପରିଭ୍ରମଣରେ ଶିକ୍ଷକ ସୟଦ ରାଜ ଓ ହରିବନ୍ଧୁ ରାୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବ୍ୟବହାରିକ ଜ୍ଞାନ ବୃଦ୍ଧି ସହ ଉପଯୁକ୍ତ କ୍ୟାରିୟର ଚୟନ ପାଇଁ ପ୍ରେରଣା ଯୋଗାଇଥିଲା ।