ଏଆଇଟିୟୁସିର ୧୩ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ଶ୍ରମିକ ସମାବେଶ ଅନୁଷ୍ଠିତ

  • ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପାଇଁ ଦୃପ୍ତ ଆହ୍ଵାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସର୍ବ ପ୍ରଥମ ସର୍ବ ଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ରାଉରକେଲା ଇସ୍ପାତ ନଗରୀରେ ୧୧, ୧୨ ଓ ୧୩ ନଭେମ୍ଵରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ଟେଲିଫୋନ ଭବନ ପଡିଆରେ ଏଆଇଟିୟୁସି ରାଜ୍ୟ ସଭାପତି କମ୍ରେଡ୍ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏହାର ଖୋଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଏଆଇଟିୟୁସିର ସଭାପତି କମ୍ରେଡ୍ ରମେନ୍ଦ୍ର କୁମାର ଦେଶର କର୍ପୋରେଟ ସଖୀ କଣ୍ଡେଇ ତଥା ସାମ୍ପ୍ରଦାୟିକ ବିଭାଜନକାରୀ ସରକାର କ୍ଷମତାରେ ବସିବା ଦିନ ଠାରୁ ଶ୍ରମିକ ଶ୍ରେଣୀ ଓ ଜନଗଣଙ୍କ ଉପରେ ଆକ୍ରମଣ କରି ଚାଲିଛି । କ୍ଷମତାରେ ବସିବା ପରେ ନିଜ ନିର୍ବାଚନ ପ୍ରତିଶୃତି ପାଳନ ନକରି ବିମୁଦ୍ରାକରଣ, ଜିଏସଟି, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ରାଷ୍ଟ୍ରୀୟ ମୁଦ୍ରିକରଣ ପାଇପଲାଇନ ନାମରେ ଦେଶର ଜନଗଣଙ୍କ ଦ୍ଵାରା ସୃଷ୍ଟ ସମସ୍ତ ସମ୍ଵଳ ଶାସକବର୍ଗଙ୍କୁ ଚାନ୍ଦା ଦେଉଥିବା ମୁଷ୍ଟିମେୟ ପୁଞ୍ଜିପତିଙ୍କ ଲାଭ ପାଇଁ ହସ୍ତାନ୍ତର, ସ୍ଵାଧୀନତା ପୂର୍ବରୁ ଓ ପରେ ପ୍ରଣିତ ସମସ୍ତ ଶ୍ରମ ଆଇନ କର୍ପୋରେଟ ସ୍ଵାର୍ଥ ପାଇଁ ପରିବର୍ତ୍ତନ ସହ କ୍ରୀତଦାସ ପ୍ରଥାର ପୁନଃ ପ୍ରଚଳନ ପାଇଁ ଶ୍ରମ କୋଡ୍ ପ୍ରଣୟନ ହୋଇଅଛି ବୋଲି ବକ୍ତାମାନେ କହିଥିଲେ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା ସଂକୋଚନ ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ କରାଯାଇଛି । ଏହି ସମୟ ମଧ୍ୟରେ ଦେଶରେ ସ୍ଵାଧୀନ ମତପୋଷଣ ଉପରେ ଆକ୍ରମଣ, ରାଜ୍ୟର କ୍ଷମତା ଉପରେ କେନ୍ଦ୍ର ସରକାରଙ୍କ ଜବରଦଖଲ, ସମସ୍ତ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି କରିଛନ୍ତି । ଦେଶରେ ସର୍ବକାଳୀନ ବେରୋଜଗାରୀ ଓ ବିଶ୍ଵ ଦାରିଦ୍ର୍ୟ ତାଲିକାରେ ଦାରିଦ୍ର୍ୟତମ ରାଷ୍ଟ୍ର ମାନ୍ୟତା ପାଇଲାଣି । ଏହି ସମୟରେ କର୍ପୋରେଟ ସ୍ଵାର୍ଥ ହାସଲ ପାଇଁ ତିନୋଟି କଳା କୃଷି ଆଇନ ପ୍ରଣୟନ କରାଯାଇଥିଲେ ବି ଏହା ବିରୋଧରେ ଶକ୍ତିଶାଳୀ କୃଷକ ଆନ୍ଦୋଳନ ପାଖରେ ସରକାର ମଥାନତ ହୋଇ ଏହି କଳା ଆଇନ ପ୍ରତ୍ୟାହାର କରିଥିଲେ ବି ପ୍ରତିଶୃତି ପୂରଣ କରି ନାହାନ୍ତି । ସରକାରଙ୍କ ଜନ ବିରୋଧୀ ବ୍ୟବସ୍ଥା ବିରୋଧରେ ହେଉଥିବା ଗଣତାନ୍ତ୍ରିକ ପ୍ରତିବାଦକୁ ବିଭାଜନ ପାଇଁ ସାମ୍ପ୍ରଦାୟିକ ବିଦ୍ଵେଷ ସୃଷ୍ଟି ଘଟଣା ଘଟାଇ ଚାଲିଛି କେନ୍ଦ୍ର ସରକାର ବୋଲି କେନ୍ଦ୍ର ସରକାରକ ଜନମାରଣ ନୀତି ଉପରେ ବିଷ ଓଗାଳି ଥିଲେ । ଏହା ବିରୋଧରେ ଦେଶବ୍ୟାପୀ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପାଇଁ କମ୍ରେଡ୍ ରମେନ୍ଦ୍ର କୁମାର ଦୃପ୍ତ ଆହ୍ୱାନ କରିଥିଲେ । ଏଆଇଟିୟୁସିର ଅନ୍ୟତମ ଜାତୀୟ ସମ୍ପାଦକ କମ୍ରେଡ୍ ରାମକୃଷ୍ଣ ପଣ୍ଡା ଦେଶର ଶ୍ରମିକ ଶ୍ରେଣୀ ଉପରେ ଚଳାଇଥିବା ନଗ୍ନ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଓଡିଶାର ଅଶିକ୍ଷା ବେରୋଜଗାରୀ, ଶିଳ୍ପ, କଳ, କାରଖାନା, ଖଣି ବନ୍ଦ ସହ ବେରୋଜଗାରୀ ସମସ୍ୟା ଉପରେ ଉଦ୍‌ବେଗଜନକ ସ୍ଥିତିର ସୂଚନା ଦେଇ ଏହା ବିରୋଧରେ ଶ୍ରମିକ, କୃଷକ, ଛାତ୍ର, ଯୁବ, ମହିଳାମାନଙ୍କୁ ନେଇ ରାଜଧାନୀରେ ଫେବୃଆରୀ ଶେଷ ସପ୍ତାହ ସୁଧା ବିଶାଳ ଜନ ସମାବେଶର ଆହ୍ଵାନ ଦେଇଥିଲେ । ଏହି ସମାବେଶରେ ଏଆଇଟିୟୁସି ଉପସଭାପତି କମ୍ରେଡ୍ ପି.କେ ଗାଙ୍ଗୁଲି, ଜାତୀୟ ସମ୍ପାଦକ କମ୍ରେଡ୍ ବିଦ୍ୟା ସାଗର ଗିରି ଉଦ୍‌ବୋଧନ ଦେଇଥିଲେ । ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ସମ୍ମିଳନୀର ପୃଷ୍ଠଭୂମିର ସୂଚନା ଦେଇଥିଲେ । ରାଜ୍ୟ ଉପସଭାପତି କମ୍ରେଡ୍ ହରପ୍ରିୟା ସ୍ଵାଇଁ ବିପ୍ଳବୀ କବିତା ଆବୃତ୍ତି କରିଥିଲେ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଡ୍ ପଶୁପତି ନାଥ ଚାଟ୍ଟାର୍ଜୀ, ଉପାଧ୍ୟକ୍ଷ ତଥା ସିପିଆଇ ଜିଲ୍ଲା ସମ୍ପାଦକ କମ୍ରେଡ୍ ପ୍ରଦୋଷ ମହାନ୍ତି, ସାଧାରଣ ସମ୍ପାଦକ କମ୍ରେଡ୍ ସଦାନନ୍ଦ ସାହୁ ପ୍ରମୁଖ ସମସ୍ତଙ୍କୁ ସ୍ଵାଗତ କରିବା ସହ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ, ନିଖିଳ ଓଡିଶା ଆଶାକର୍ମୀ ସଂଘ, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ, ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ, ସିଆରପି ସଂଘ, ଏଆଇଟିୟୁସି ନେତୃତ୍ଵାଧୀନ ଦୁଇଟି ନିର୍ମାଣ ଶ୍ରମିକ ସଂଘ, ବିଭିନ୍ନ କୋଇଲା ଖଣି ଓ ଲୁହା ଖଣି ଶ୍ରମିକ କର୍ମଚାରୀ ସଂଘ ସମେତ ଶତାଧିକ ୟୁନିୟନର ବ୍ୟାନର ପ୍ଲାକାର୍ଡ ସହ ହଜାର ହଜାର ଶ୍ରମିକ କର୍ମଚାରୀ ସେକ୍ଟର ୨ ବସଷ୍ଟାଣ୍ଡ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଟେଲିଫୋନ ଭବନ ପଡିଆଠାରେ ପହଞ୍ଚିଥିଲେ ।

Leave A Reply

Your email address will not be published.

10 + seventeen =