ଷ୍ଟ୍ରିଟ ଲାଇଟ ପାଇଁ ଦାବୀ ଜଣାଇଲେ ଶାନ୍ତିପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ସହରରେ ଅନ୍ଧାରର ସୁଯୋଗ ଉଠାଇ ଲୁଟତରାଜ୍‌ ଓ ରାହାଯାନୀର ବିଭିନ୍ନ ଘଟଣା ସାମ୍‌ନାକୁ ଆସୁଛି । ଏସବୁର ଭୟରେ ଶାନ୍ତିପଡା ବାସିନ୍ଦା ବଲାଙ୍ଗିର ମ୍ୟୁନିସିପାଲିଟିକୁ ରାସ୍ତା ଆଲୋକିକରଣ ପାଇଁ ଏକ ଦାବୀପତ୍ର ପ୍ରଦାନ କରିବା ସହ ଅଞ୍ଚଳକୁ ଆଲୋକିକରଣ କରି ଜନସାଧାରଣଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଲେଖି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଶାନ୍ତିପଡାରୁ ସଦେଇପାଲି ରାସ୍ତାର ପ୍ରାରମ୍ଭରେ କିଛିଟା ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ଥିବା ବେଳେ ସିଂହ ଭାଗ ରାସ୍ତା ଅନ୍ଧାରରେ ରହୁଛି । ପ୍ରତ୍ୟହ ଏହି ରାସ୍ତାରେ ସ୍କୁଲ କଲେଜ ପିଲା ଟିଉସନ ପଢିବା ପାଇଁ ଯାଉଥିବା ବେଳେ ଅନେକ ଶାନ୍ତିପଡା ବାସିନ୍ଦା ଇଭିନିଂ ୱାର୍କରେ ମଧ୍ୟ ଯାଆନ୍ତି । ଏଭଳି ସ୍ଥିତିରେ ସନ୍ଧ୍ୟାରୁ ରାସ୍ତା ଅନ୍ଧକାରମୟ ହେଉଥିବାରୁ ସାଧାରଣ ଲୋକେ ଅସାମାଜିକ ବ୍ୟକ୍ତିଙ୍କ ସହଜ ଶିକାର ହେବାର ଅନେକ ଉଦାହରଣ ରହିଛି । ତେଣୁ ଅଞ୍ଚଳବାସୀ ଯଥା ଶୀଘ୍ର ଷ୍ଟ୍ରିଟ୍‌ ଲାଇଟ ଯୋଗାଇ ଦେଇ ଏହି ଅଞ୍ଚଳକୁ ଭୟ ମୁକ୍ତ କରିବା ପାଇଁ ମ୍ୟୁନିସିପାଲିଟି ପାଖରେ ଦାବୀ ଜଣାଇଛନ୍ତି । ଶାନ୍ତିପଡା ସ୍ଥିତ ମୁନା ପରିଚ୍ଛାଙ୍କ ଘରରୁ ଲୋୟର ସୁକତେଲ କଲୋନୀ ପର୍ଯ୍ୟନ୍ତ ରାସ୍ତା ଆଲୋକିକରଣର ଦାବୀ ନେଇ ବିଜୟ କୁମାର ଶତପଥୀ, ମୁରଲୀ ମହାକୁର, ଗଣେଶ ଦୀପ, ସନାତନ ଗଡତ୍ୟା, ମୋତିଲାଲ ସାହୁ, ସୌକିଲାଲ୍‌ ସାହୁ ଓ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

15 + thirteen =