jsm

ଟିଟିଲାଗଡ଼ରେ ବିରାଟ ଆଦିବାସୀ ମେଳି : ଓଡିଶା ସରକାରଙ୍କ ଆଦିବାସୀ ମାରଣ କାର୍ଯ୍ୟ ବିରୋଧରେ ଆଦିବାସୀ ଆନ୍ଦୋଳନ

csstore
  • ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଦିବାସୀ
  • ଉପ ଜିଲ୍ଲାପାଳ ନ ଥିବାରୁ ତୀବ୍ର ଉତ୍ତେଜନା
  • ୯-ଦଫା ଦାବିପତ୍ର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ଆହ୍ୱାନରେ ଆଜି ଟିଟିଲାଗଡ଼ଠାରେ ଏକ ବିରାଟ ଆଦିବାସୀ ମେଳି ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ଼ ବ୍ଲକ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ପୁରୁଷ, ମହିଳା ଓ ଯୁବକ-ଯୁବତୀମାନେ ଉତ୍ସାହର ସହ ଯୋଗଦେଇଥିଲେ । ଘଣ୍ଟାସୁଣୀ ମନ୍ଦିରରୁ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଆଦିବାସୀ ବାହାରିଥିଲେ । ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର, ପାରମ୍ପରିକ ପୋଷାକ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଆଦିବାସୀ ସଂସ୍କୃତିର ଅନନ୍ୟ ଐତିହ୍ୟର ପ୍ରଦର୍ଶନ କରାଯାଇଥିଲା । ଆଦିବାସୀ ଅଧିକାର ସୁରକ୍ଷା ଦାବି ସ୍ଲୋଗାନରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଥିଲା । ଶୋଭାଯାତ୍ରା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ଆଦିବାସୀ ମାରଣ ନୀତି, ଆଦିବାସୀ ଶୋଷଣ କାର୍ଯ୍ୟ, ଆଦିବାସୀ ଦମନ ବ୍ୟବସ୍ଥାକୁ ଆଦିବାସୀମାନେ ଘୋର ବିରୋଧ କରିଥିଲେ । ବିକ୍ଷୋଭ ସଭାରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା, ଖଣି, ଖାଦାନ, ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ସମ୍ବନ୍ଧୀୟ ୯-ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ସମାବେଶକୁ ସମ୍ବୋଧିତ କରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ଓ ଆଦିବାସୀ କଲ୍ୟାଣ ପ୍ରତି ଉଦାସୀନ ମନୋଭାବକୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ ଯେ, କଲ୍ୟାଣମୂଳକ ଯୋଜନା ବନ୍ଦ, ଆଦିବାସୀ ଜମି ଓ ଜଙ୍ଗଲ ଉପରେ ବିପଦ, ରୋଜଗାରର ଅଭାବ ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାର ଅବହେଳା ଯୋଗୁଁ ଆଦିବାସୀ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁସୂଚିତ ଜନଜାତିଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା କରି ନ୍ୟାୟ, ସମ୍ମାନ ଓ ସମାବେଶୀ ବିକାଶ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ । ସ୍ମାରକପତ୍ରର ପ୍ରମୁଖ ଦାବି ମଧ୍ୟରେ ଅନ୍ୱେଷା ଯୋଜନାର ଏଡମିଶନ ଜୁଲାଇ ମାସରେ ପୁନଃ ପ୍ରଚଳନ, ବି.ଏସ୍‌.ସି ନର୍ସିଂ ଓ ଜିଏନ୍‌ଏମ୍ ପାଠ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ହଜାର ଆର୍ଥିକ ସହାୟତା ପୁନଃ ପ୍ରଦାନ, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆଦିବାସୀ ଯୁବକ-ଯୁବତୀଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ସୁଯୋଗ, ଆଦିବାସୀ ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା, ଭୂମିହୀନ ଆଦିବାସୀ ପରିବାରଙ୍କୁ ସରକାରୀ ଜମି ବଣ୍ଟନ, ୨୦୨୭ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ପ୍ରାର୍ଥୀଙ୍କୁ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ଏବଂ ଗ୍ରାମସଭାର ବିନା ଅନୁମୋଦନରେ ବଲାଙ୍ଗିର ଜିଲ୍ଲାର ସାଲେପାଲି, ଲରମ୍ଭା, କନେଇଟାଲ, ଭରତବାହାଲ, ବବଜା, ବିଅରପାଲି ଖଣି ଲିଜ ବାତିଲ କରିବା ତଥା କଳାହାଣ୍ଡି-ରାୟଗଡ଼ା ଜିଲ୍ଲାର ତିଜମାଳି, ମାଝିମାଳି, ଖଣ୍ଡୁଆଲମାଳି ଓ ନିୟମଗିରି ଅଞ୍ଚଳର ପ୍ରସ୍ତାବିତ ଖଣି ଲିଜ୍ ବାତିଲ କରି ପରିବେଶ, ପାରମ୍ପରିକ ଜୀବିକା ଓ ଆଦିବାସୀ ଅସ୍ମିତାର ସୁରକ୍ଷା କରିବା, ମଦମୁକ୍ତ ଓଡିଶା ଘୋଷଣା କରିଥିବା ସରକାର ମଦ ଭାଟି ବନ୍ଦ କରିବା, ଧାନ ବିକ୍ରି ବ୍ୟବସ୍ଥା ସଜାଡ଼ିବା ଆଦି ସାମିଲ ରହିଛି । ଏହି ସମାବେଶରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ପରମାନନ୍ଦ ମାଝୀ, ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁ ପ୍ରତାପ ସିଂହ ମାଝୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝୀ, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ମନରଞ୍ଜନ ଭୋଇ, ରାଜୀବ କୁଅଁର, ଚୌବନ କିଶୋର ମାଝୀ, ସନ୍ତୋଷ ପୁଟା, ରସିକ ଧରୁଆ, ଚନ୍ଦ୍ରଶେଖର ବରିହା, ନିତ୍ୟାନନ୍ଦ ମାଝୀ, ଥବିର ପୂଜାରୀ, ଘାସିରାମ ମାଝୀ ପ୍ରମୁଖ ଉଦବୋଧନ ଦେଇ ସରକାରଙ୍କୁ ତୁରନ୍ତ ଆଦିବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ କରିବାକୁ ଆହ୍ୱାନ ଜଣାଇଥିଲେ । ଆଦିବାସୀ ନେତା ସୁନୀଲ ମାଝି, ପ୍ରଫୁଲ୍ଲ ପ୍ରଧାନି, ରୋହିତ ଝାଙ୍କର, ଚୂଡ଼ାମଣି ମାଝି, ଦିଲୀପ ମାଝି, ଦ୍ରୋଣ ମାଝି, ସୁଶୀଲ ମାଝି, ଡ଼ମେନ ମାଝି, ପତ୍ରଙ୍ଗି ମାଝି, ବିଶାଖା ମାଝି, ମାହେଶ୍ୱରୀ ମାଝି, ଗିରିଧାରୀ ଭୋଇ, ଯୁଧିଷ୍ଠିର ବର୍ଗେ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ । ଶେଷରେ ଚେତାବନୀ ଦିଆଯାଇଥିଲା ଯେ, ଯଦି ଯୁକ୍ତିଯୁକ୍ତ ଦାବିଗୁଡ଼ିକର ଶୀଘ୍ର ସମାଧାନ କରାନଯାଏ, ତେବେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ଅସ୍ମିତା ଓ ଭବିଷ୍ୟତର ସୁରକ୍ଷା ପାଇଁ ସମଗ୍ର ଓଡ଼ିଶାରେ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ।

yuvodaya
Leave A Reply

Your email address will not be published.