ସରକାରଙ୍କ ଆଦିବାସୀ ଦମନ ନୀତିର ପ୍ରତିବାଦ : ୧୧ରେ ପଦ୍ମପୁର ଠାରେ ଆଦିବାସୀ ମାହାସଂଘର ଆନ୍ଦୋଳନ ଡାକରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୧ ନଭେମ୍ବର ୨୦୨୦ରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି ମହାସଂଘ । ଏହି ବିକ୍ଷେଭ ପ୍ରଦର୍ଶନ ପରେ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ଏହି ସ୍ମାରକ ପତ୍ରରେ ସରକାରଙ୍କ ଆଦିବାସୀ ବିରୋଧୀ କାର୍ୟ୍ୟପନ୍ଥା ଯଥା ଆଦିବାସୀମାନଙ୍କୁ ବିଭିନ୍ନ ଖଣି ଖଦାନ, ନଦୀବନ୍ଧ ଯୋଜନା, ପାର୍କ, ଅଭୟାରଣ୍ୟ, ଶିଳ୍ପ କଳ କାରଖାନା, ମୁର୍ତ୍ତି ପ୍ରତିଷ୍ଠା ଆଳରେ ବଳ ପ୍ରୟୋଗ କରି ବିସ୍ଥାପିତ କରିବା, କ୍ଷତି ପୁରଣ, ଥଇଥାନ, ପୁନର୍ବାସର ବ୍ୟବସ୍ଥା ନକରିବା, ଆସିବାସୀମାନଙ୍କୁ ଜୋର ଜବରଦସ୍ତି ଜଙ୍ଗଲରୁ ଉଚ୍ଛେଦ କରିବା, ନକଲି ଆଦିବାସୀମାନଙ୍କୁ ବହିଷ୍କୃତ କରିବାରେ ଅହେତୁକ ବିଳମ୍ବ କରି ଉଚ୍ଚତମ ନ୍ୟାୟାଳୟର ଆଦେଶ ଅବମାନନା କରିବା ଅନ୍ୟାନ୍ୟ ପାରମ୍ପାରିକ ବନବାସୀ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଆଦିବାସୀ ଜମି, ବେନାମି ଜମି, ବେଆଇନ ଖର୍ଦି ସ୍ରୋତ ଦଖଲ ଜମିକୁ ଆଦିବାସୀମାନଙ୍କୁ ଫେରସ୍ତ କରିବାରେ ବିଳମ୍ବ କରି ସଂରକ୍ଷଣ ଆଇନ ୧୯୫୪ର ଉଲ୍ଲଂଘନ କରିବା, ଓଡିଶା ସ୍ଥାନ ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ୨୩ ପ୍ରତିଶତ କୋଟା ଉଚ୍ଚଶିକ୍ଷା, ଟେକନିକାଲ ଶିକ୍ଷା, ମେଡିକାଲ କଲେଜ ଏବଂ ନିଯୁକ୍ତିରେ କାର୍ୟ୍ୟକାରୀ ନକରିବା ଭଳିଆ ଆଦିବାସୀ ବିରୋଧୀ କାର୍ୟ୍ୟକ୍ରମକୁ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ସହ ମହାସଂଘ ଆହୁରି ଦାବୀ କରିଛି ଯେ, କରୋନା ଭୂତାଣୁ ଜନିତ ମହାମାରୀରେ ସେମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରି ସେମାନଙ୍କ ଆର୍ଥୀକ ଉନ୍ନୟନ କରାଯାଉ । କୋଭିଡ୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ ବ୍ୟବସ୍ଥାରେ ଶିକ୍ଷା ଦିଆଯାଉଥିବାରୁ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାେବାଇଲ୍‌ ଫୋନ୍‌ ଜି ସ୍ମାର୍ଟଫୋନ, ଲାପଟପ ଆଭାବରେ ଅନଲାଇନ ପାଠ ପଢିପାରୁ ନାହାନ୍ତି । ତେଣୁ ସରକାର ସେମାନଙ୍କୁ ମାଗଣାରେ ମୋବାଇଲ, ଲାପଟପ ଯୋଗାଇ ଦେବା ସହ ମାଗଣା ନେଟ୍‌ ପ୍ୟାକ ମଧ୍ୟ ଯୋଗାଇ ଦେଉ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗରୁ ଥିବା ଷ୍ଟାଇପେଣ୍ଡକୁ ସରକାର ୫ ଗୁଣ କମାଇ ଦେଇଛନ୍ତି । ତେଣୁ ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପୂର୍ବ ଭଳିଆ ବୃଦ୍ଧି କରାଯାଉ ବୋଲି ମହାସଂଘ ଦାବୀ କରିଛି । ଏହି ମର୍ମରେ ଆସନ୍ତା ୧୧ ତାରିଖରେ ବିଶାଳ ଆଦିବାସୀ ବିକ୍ଷୋଭ ହେବା ନେଇ ମହାସଂଘର ସଭାପତି ବିଜୟ ରଞ୍ଜନ ସିଂ ବରିହା, ଉପସଭାପତି ବ୍ରଜକିଶୋର ସିଂ ଭୋଇ, ଯୋଗେନ୍ଦ୍ର ଭୋଇ, ଭାନୁ ପ୍ରତାପ ସିଂ ମାଝୀ, ମହାସଚିବ ନିରଞ୍ଜନ ବିଶି, ଉସମନ ମୁଣ୍ଡା, ବାଳକୃଷ୍ଣ ଶବର, ପ୍ରମୋଦ ଝାଙ୍କର, ଭଦ୍ର ଚରଣ କିଶାନ, ଭଗବାନ କୁଅଁର ଓ କିଶୋର ଚନ୍ଦ୍ର ଭୋଇ ଜଣାଇଛନ୍ତି ।

Leave A Reply

Your email address will not be published.