pakka

ବିଜେପି କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ଆକ୍ରମଣ ଘଟଣା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଆମରଣ ଅନଶନ ନିଷ୍ପତ୍ତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସଂଧ୍ୟା ସମୟରେ ପଦ୍ମପୁର ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ପଦ୍ମପୁର ଭେଉଁରିଆ ଛକରେ ବିଜେଡିର କେତେକ କର୍ମୀ ମାଡ୍‌ପଟ୍‌ କରିବା ସହ ପକେଟରୁ ଟଙ୍କା ଛଡାଇ ନେଇଥିବା ଘଟଣାକୁ ନେଇ ପଦ୍ମପୁର ଥାନାରେ ଅଭିଯୋଗ ହେବା ସର୍ତ୍ତ୍ବେ ଅଭିଯୁକ୍ତ ମାନଙ୍କୁ ପୋଲିସ ସୁରକ୍ଷା ଦେଉଥିବାରୁ ତାର ପ୍ରତିବାଦରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଥାନାରେ ଆମରଣ ଅନଶନରେ ବସିବା ପାଇଁ ପୋଲିସ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଘଟଣାରୁ ଜଣାଇଛି ଯେ, ପଦ୍ମପୁର ଏନ୍‌ଏସି ପୌର ପରିଷଦ ନିର୍ବାଚନ ଚାଲୁଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠ ଓ ଅରୁଣ ମୁଣ୍ତ ମୋଟର ସାଇକେଲ ଯୋଗେ ଗତକାଲି ବୁଲୁଥିବା ବେଳେ ଭେଉଁରିଆ ଛକରେ ବିଜେଡି କର୍ମୀମାନେ ସେମାନଙ୍କୁ ଅଟକାଇ ପ୍ରଚୁର ମାଡ ମାରିବା ସହ ପକେଟ୍‌ରେ ଥିବା ୨ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ । ସନ୍ଧ୍ୟାରେ ଶ୍ରୀ ସେଠ ପଦ୍ମପୁର ଥାନାକୁ ଯାଇ ତାଙ୍କୁ ମାଡ ମାରିଥିବା, ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ଓ ତାଙ୍କ ପକେଟରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ । ଶ୍ରୀ ସେଠଙ୍କ ରିପୋର୍ଟ ଆଧାରରେ ପଦ୍ମପୁର ପୋଲିସ କେସ୍‌ ରେଜିଷ୍ଟ୍ରେସନ କରି କୁନାଲ ସିଂ ବରିହା, ରିତେଶ ସାହୁ, ରାଜୁ ଦାନି, ଉମେଶ ନାୟକ, ଲକ୍ଷ୍ମଣ ତାଣ୍ଡିଙ୍କ ବିରୋଧରେ ଦଫା ନଂ ୧୪୭, ୩୪୧, ୨୯୪, ୩୭୯, ୧୭୨ (ଏଫ), ୫୦୬, ୧୪୯, ୩ (ଏସ୍‌ସି/ଏସ୍‌ଟି) କେସ୍‌ ରୁଜୁ କରିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ କୁନାଲ ସିଂ ବରିହାଙ୍କ ନାମରେ ଅନେକ କେସ୍‌ ଥିବା ବେଳେ ଏକ ଧର୍ଷଣ ଘଟଣାରେ ଜିଲ୍ଲା କୋର୍ଟ ୧୦ ବର୍ଷ ସଜା ଘୋଷଣା କରିଥିବା ବେଳେ ସେ ଏବେ ଜମାନତରେ ଅଛନ୍ତି । ସରକାରଙ୍କ ଚାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଉଥିବାରୁ ତାର ପ୍ରତିବାଦରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଥାନାରେ ଆମରଣ ଅନଶନ କରିବା ପାଇଁ ପୋଲିସ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ଆଜି ଲିଖିତ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

one × 5 =