pakka

ଦାବୀ ପୂରଣ ନ ହେବାରୁ ଅନଶନରେ ବସିବେ ସାମ୍ବାଦିକ : ସହଯୋଗ କରିବେ ପାଇକମାଲ ନାଗରିକ କମିଟି ଓ ବଣିକ ସଂଘ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡାକୁ ସଂଯୋଗ କରୁଥିବା ରାଜ୍ୟ ସରକାରଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ ମଧ୍ୟ ଦେଇ ଯାଇଛି । ଏଥିରେ ତିଳେମାତ୍ରା ସନ୍ଦେହ ନାହିଁ ଯେ, ଏହି ରାସ୍ତା ହେବା ଦ୍ୱାରା ଅଞ୍ଚଳବାସୀଙ୍କର ଅନେକ ସୁବିଧା ହେବା ସହିତ ଲୋକଙ୍କର ଆର୍ଥିକ ବିକାଶ ମଧ୍ୟ ହେବ । କିନ୍ତୁ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କର ଅବହେଳା ଓ ଅପାରଗତା କାରଣରୁ ଏହି ବିଜୁ ଏକ୍ସପ୍ରେସ ୱେର ସାଲେପାଲି ଠାରୁ ମିଠାପାଲି ପର୍ୟ୍ୟନ୍ତ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ମୁଖ୍ୟତଃ ପାଇକମାଲ ଭାଟି ଛକ ପାଖରୁ ସାପ୍ତାହିକ ବଜାର ମଧ୍ୟରେ ବିଗତ କିଛି ଦିନ ଭିତରେ ଅନେକ ଦୁର୍ଘଟଣା ଘଟି ତିନି ଗୋଟି ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି । ପାଇକମାଲର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମାନଙ୍କର ଦ୍ୱାରା ବାରମ୍ବାର ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ଏହି ବାବଦରେ ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ ସମ୍ପୂର୍ଣ୍ଣ ନୀରବ । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଆସୁଛି । ଆଜି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସାମ୍ବାଦିକ ସୁରଥ ସାହୁ, ଗୌରାଙ୍ଗ ଦାସ, ଧୀରେନ ମହାନ୍ତି, ନିରୋଜ ପାଣୀ, ମାନସ ନାୟକ, କୁଞ୍ଜ ବିହାରୀ ସାହୁ, ପାଇକମାଲ ନାଗରିକ କମିଟିର ସଭାପତି ମନୋଜ କୁମାର ତ୍ରିବେଦୀ, ବଣିକ ସଂଘର ସଭାପତି ଯୁଗଳ କିଶୋର ମେହେର ପ୍ରମୁଖ ଯୋଗଦାନ କରି ରାସ୍ତାରେ ପ୍ରତ୍ୟେକ ଦିନ ଘଟୁଥିବା ଦୁର୍ଘଟଣା ବାବଦରେ ଓ ପାଇକମାଲ ମୁଖ୍ୟ ରାସ୍ତାର ସ୍ୱଚ୍ଛତା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ପୂର୍ତ୍ତ ବିଭାଗ ଏକଜିକ୍ୟୁଟି ଇଂଜିନିୟର ପାଇକମାଲ ଡାକ ବଙ୍ଗଳା ଠାରେ ମାର୍ଚ୍ଚ ମାସ ୨୧ ତାରିଖ ପରେ ପାଇକମାଲ ବସ୍ତି ମଧ୍ୟରେ ଡିଭାଇଡର ଲଗା ହେବ ବୋଲି ପ୍ରତିଶୃତି ଦେଇଥିଲେ । ୬ ମାସ ବିତିଯାଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଚୁପ୍‌ ହୋଇ ବସିଛନ୍ତି । ତେଣୁ ପୁର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଆଗାମୀ ୨୫ ତାରିଖ ମଧ୍ୟରେ ମୁଖ୍ୟ ରାସ୍ତାରେ ଡିଭାଇଡର ନିର୍ମାଣ ନ କଲେ ସାମ୍ବାଦିକ ମାନେ ଅନଶନରେ ବସିବେ ବୋଲି ବୈଠକ ଆଲୋଚନା ହୋଇଥିଲା । ଏହି ସମୟ ସୀମା ଭିତରେ ଯଦି କାର୍ୟ୍ୟ ଆରମ୍ଭ ନ ହୁଏ ତେବେ ସାମ୍ବାଦିକ ମାନେ ୨୫ ତାରିଖ ସକାଳୁ ପାଇକମାଲ ମୁଖ୍ୟ ଛକରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହା ପାଇକମାଲ ମୁଖ୍ୟ ରାସ୍ତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଦୋକାନୀ ମାନଙ୍କୁ କୁହାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଇକମାଲ ବାସୀଙ୍କର ସୁରକ୍ଷା ପାଇଁ ସାମ୍ବାଦିକ ବନ୍ଧୁ ମାନଙ୍କର ଉଦ୍ୟମକୁ ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ ତ୍ରିବେଦୀ ପ୍ରଶଂସା କରିବା ସହିତ ଜନହିତ ପାଇଁ ସାମ୍ବାଦିକ ସଂଘର ପ୍ରତ୍ୟେକ ପଦକ୍ଷେପ କୁ ପୂର୍ଣ୍ଣ ସମ୍ମର୍ଥନ କରିବେ ବୋଲି କହିଛନ୍ତି । ସେହିଭଳି ସ୍ୱଚ୍ଛତା ରହିଲେ ବଜାରର ସୌନ୍ଦର୍ୟ୍ୟ ବୃଦ୍ଧି ହେବା ସହିତ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ । ନିଜର ଦୋକାନ ଓ ଆଖପାଖର ସଫେଇ ଦୋକାନୀଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ବଣିକ ସଙ୍ଘର ସଭାପତି ମତବ୍ୟକ୍ତ କରିଛନ୍ତି । ସାମ୍ବାଦିକ ବନ୍ଧୁ ମାନଙ୍କର ଦାବୀ ସମ୍ପୂର୍ଣ୍ଣ ଭାବରେ ଯଥାର୍ଥ । ବଣିକ ସଙ୍ଘ ସାମ୍ବାଦିକ ମାନଙ୍କର ଆନ୍ଦୋଳନକୁ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରିବ ବୋଲି କହିଛନ୍ତି ବଣିକ ସଂଘର ସଭାପତି ଯୁଗଳ କିଶୋର ମେହେର ।

Leave A Reply

Your email address will not be published.

four + 17 =