ଅନନ୍ୟା ଉନ୍ମୋଚନ ଓ ଉତ୍କର୍ଷତା ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା ଅନନ୍ୟାର ଉନ୍ମୋଚନ ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ କାର୍ଯ୍ୟକ୍ରମ ପରିଚାଳନା ସମିତିର ସଭାପତି ଡ. ଦାଭିନ୍ଦର କୌରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଲକ୍ଷ୍ୟ ସ୍ଥିର କରି, ତା’ର ପୂର୍ତ୍ତି ପାଇଁ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିପାରିବେ ବୋଲି କହିଥିଲେ । ଏକାଗ୍ରତା ଓ ସରଳତା ବିଦ୍ୟାର୍ଥୀକୁ ସଫଳତାର ସ୍ୱାଦ ଦେଇଥାଏ ବୋଲି ଡ. କୌର ଅଧ୍ୟକ୍ଷୀୟ ଅଭିଭାଷଣରେ କହିଲେ । ଅଧ୍ୟକ୍ଷ ଡ. ସନାତନ ପ୍ରଧାନ କହିଲେ ଯେ ଶିକ୍ଷାଳୟ ହେଉଛି ଜୀବନ ବିକାଶ ମନ୍ଦିର, ଓ ଏହାର ପବିତ୍ରତା ରକ୍ଷା କରି, ଉତ୍ତମ ଶିକ୍ଷା ପାଇଁ କାର୍ଯ୍ୟ କରିବା ଏକ ଐଶ୍ୱରୀୟ କାର୍ଯ୍ୟ । ସଂଯୋଜକ ଦୀପ୍ତି ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପିକ ଚନ୍ଦ୍ରଲେଖା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଯୁକ୍ତ ଦୁଇ ଓ ତିନିର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ, ବିବିଏ, ବାଣିଜ୍ୟ ସ୍ନାତକୋତ୍ତର, ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା ଓ ଖେଳ କୁଦରେ ଉତ୍କର୍ଷତା ହାସଲ କରି ଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପିକା ଡ. ଦିବ୍ୟକାନ୍ତି ବିଲୁଙ୍ଗ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ ସଂହତି ଓ ଓଡ଼ିଶାର ଐତିହ୍ୟ ପରମ୍ପରା ଉପରେ ଆଧାରିତ ଥିଲା । ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

thirteen + 7 =