pakka

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଜି ପୂର୍ବାହ୍ନରେ ଗଭର୍ମେଣ୍ଟ ଇ–ମାର୍କେଟପ୍ଲେସ (ଜିଇଏମ୍‌) ଭୁବନେଶ୍ଵରର ସୁଧାଂଶୁ ପ୍ରଧାନ ଇ-ମାର୍କେଟିଙ୍ଗ ସମ୍ପର୍କରେ ଥିବା ନୀତି ନିୟମ ବିଷୟରେ ଆଲୋକପାତ କରିଥିଲେ । ଗଭର୍ମେଣ୍ଟ ଇ–ମାର୍କେଟପ୍ଲେସ (ଜିଇଏମ)ର ଉପଯୋଗ ମାଧ୍ୟମରେ ବ୍ୟବସାୟକୁ କିପରି ବୃଦ୍ଧି କରାଯାଇପାରିବ ସେ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ବୁଝାଇଥିଲେ । ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ, ବଲାଙ୍ଗିରର ସହକାରୀ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରୀ ତରାଶ ମୁର୍ମୁ ଶିଳ୍ପାୟନ ଓ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ବିଭିନ୍ନ ଆଇନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବିଷ୍ଣୁ ପ୍ରସାଦ ଦାଶ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଏହି ଯୋଜନା ମାଧ୍ୟମରେ ଯୁବକ ଯୁବତୀମାନେ ସାମିଲ ହୋଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସେ ପିଏମ୍‌ଏଫ୍‌ଏମ୍‌ଇ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏପିକଲ ତରଫରୁ ଜିଲ୍ଲା ସଂଯୋଜିକା ଜ୍ୟୋତି ରଥ ଅଂଶ ଗ୍ରହଣ କରି ଏପିକଲ୍‌ ତରଫରୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଥିବା ସୁବିଧା ସୁଯୋଗ, ଆବେଦନର ପ୍ରକ୍ରିୟା ଏବଂ କେଉଁ କେଉଁ ବିଭାଗରୁ ଏହି ଯୋଜନାର ସୁବିଧା ମିଳିପାରିବ ସେ ସମ୍ପର୍କରେ ଅବଗତ କରିଥିଲେ । ଆଜିର ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସହରର ଶିଳ୍ପ ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟୀ, ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଜିଲ୍ଲା ଶିଳ୍ପକେନ୍ଦ୍ର ଓ ଦୀପାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × five =