ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉଦ୍‌ଯାପନୀ ଦିବସରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ପାଳନ କରୁଛି । ଏହାର ଉଦ୍‌ଯାପନୀ ଦିବସ ୨୦ ତାରିଖ ଦିନ ପୂର୍ବାହ୍ନ ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆର ପୁରୁଣା ମଂଚରେ “ଲୋକ ନାଟକର ସ୍ୱରୁପ” ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ସୁଧାଂଶୁ ଶେଖର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ.ପୁରୁଷୋତ୍ତମ ମିଶ୍ର (ସୁବର୍ଣ୍ଣପୁର) ଓ ପ୍ରାଧ୍ୟାପକ ଚୂଡାମଣି ରଥ (ବରଗଡ) ଆଧାର ଫର୍ଦ୍ଦ (ବେସ ପେପର) ପଠନ କରିଥିଲେ । ପ୍ରାଧ୍ୟାପକ ଶ୍ରୀ ମିଶ୍ର “ଲୋକ”ର ସଂଜ୍ଞା ନିରୁପଣ କରିବା ପୂର୍ବକ ଲୋକ ନାଟକରେ ଶିଷ୍ଟତା ଓ ଅଶିଷ୍ଟତା ତଥା ଶିଷ୍ଟ ଆଧାରିତ କଳା (ନାଟକ, ନୃତ୍ୟ, ସଙ୍ଗୀତ) ଉପରେ ଆଲୋକପାତ କରିଥିଲେ । ସେହିପରି ପ୍ରାଧ୍ୟାପକ ଶ୍ରୀ ରଥ ଗ୍ରାମାଂଚଳ କଳାକାରମାନଙ୍କ ପାଇଁ ଲୋକ ନାଟକ ବଂଚିଛି ଓ ଗ୍ରାମ୍ୟ ସଂସ୍କୃତି, ପରମ୍ପରା ଲୋକ ନାଟକ ପାଇଁ ଆଧାର ବୋଲି ପ୍ରତିପାଦନ କରିଥିଲେ । ସଭାପତି ପ୍ରଫେସର ପଟ୍ଟନାୟକ ବିଭିନ୍ନ ଲୋକକଳାର ସ୍ୱରୁପ ନିରୁପଣ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ଖମାରୀ ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାସ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଅନୁପ୍ରିୟା ମିଶ୍ର, ଦେବରାଜ ସାହୁ, ଡ.ଘାସିରାମ ମିଶ୍ର ଓ ସତାନତ ଠାକୁର ପ୍ରମୁଖ ନିଜସ୍ୱ ମତ ରଖିଥିଲେ । ମଧୁସୂଦନ ନାୟକ ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଶତାଧିକ ନାଟ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 × 3 =