ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉଦ୍‌ଯାପିତ

  • ଅଭିନିତ ହେଲା ନାଟକ ପୃଥ୍ୱୀରାଜ ଓ ନୃତ୍ୟ ନାଟିକା ନାବକେଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ ଓ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ପରିଷଦର ଅଧ୍ୟକ୍ଷ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ହରି ନାରାୟଣ ପୂଝାରୀ ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ରାମ ନାରାୟଣ ବେଜ ସଭା ସଂଯୋଜନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ସେବା ସମ୍ମାନ ଡ.ବେଣୁଧର ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗୁରୁ ସମ୍ମାନ ନିର୍ଦ୍ଦେଶକ ତଥା ଅଧ୍ୟାପକ ପ୍ରଶାନ୍ତ ଖମାରୀଙ୍କୁ ପ୍ରଦାନ କରାଯାଇଥିଲା ।

ପ୍ରଥମେ ଅଭିନିତ ହୋଇଥିବା ନାଟକ ପୃଥ୍ୱୀରାଜର କଥାବସ୍ତୁ ଅତ୍ୟନ୍ତ ରୋଚକ ଥିଲା । ସମ୍ଭାର ନରେଶ ସୋମେଶ ପୁତ୍ର ପୃଥ୍ୱୀରାଜ ଚୌହାନ ଥିଲେ ମହାନ ବୀର, ଧନୁର୍ଦ୍ଧାରୀ, ସୁଶାସକ ଓ ପ୍ରଜାପାଳକ । ଚାରି ଦିଗରେ ତାଙ୍କର ଯଶକୀର୍ତ୍ତି ବ୍ୟାପୀ ଯାଇଥିଲା । କନୌଜର ରାଜା ଜୟଚନ୍ଦ୍ର ପୃଥ୍ୱୀରାଜଙ୍କୁ ଇର୍ଷା କରୁଥିଲେ । ତାଙ୍କର ଝିଅ ସଂଯୋଗୀତାର ସ୍ୱୟଂମ୍ବର ସଭାକୁ ପୃଥ୍ୱୀରାଜଙ୍କୁ ନିମନ୍ତ୍ରଣ କରିନଥିଲେ । ପୃଥ୍ୱୀରାଜଙ୍କୁ ଅପମାନ ଦେବା ଉଦେ୍ଧଶ୍ୟରେ ତାଙ୍କର ମାଟିର ମୂର୍ତ୍ତି ତାଙ୍କ ପ୍ରବେଶ ଦ୍ୱାର ସାମ୍ନାରେ ଦ୍ୱାରପାଳ ରୂପେ ରଖିଥିଲେ । ପୃଥ୍ୱୀରାଜଙ୍କୁ ମନେ ମନେ ପ୍ରେମ କରୁଥିଲେ ରାଜକୁମାରୀ ସଂଯୋଗୀତା । ଦ୍ୱାରପାଳ ସଜା ହୋଇଥିବା ପୃଥ୍ୱୀରାଜଙ୍କ ମାଟିର ମୂର୍ତ୍ତିକୁ ସଂଯୋଗୀତା ପିନ୍ଧାଇ ଦେଲେ ବରଣମାଳା । ପୃଥ୍ୱୀରାଜ ସଶସ୍ତ୍ର ପହଂଚି ସଂଯୋଗୀତାଙ୍କୁ ହରଣ କରି ଆଣିଲେ । ଜୟଚନ୍ଦ୍ର ପ୍ରତିଶୋଧ ନେବା ପାଇଁ ଗଜନୀର ସୁଲତାନ ମହମ୍ମଦ ଘୋରୀଙ୍କ ସହିତ ସନ୍ଧି କଲେ । ଆଗରୁ ପୃଥ୍ୱୀରାଜ ତିନିଥର ମହମ୍ମଦ ଘୋରୀଙ୍କୁ ହରାଇ କ୍ଷମା ପ୍ରଦାନ କରିଥିଲେ । ଜୟଚନ୍ଦ୍ରର ସନ୍ଧି ମହମ୍ମଦ ଘୋରୀଙ୍କ ପାଇଁ ହେଲା ସୁବର୍ଣ୍ଣ ସୁଯୋଗ । ଜୟଚନ୍ଦ୍ର ସାହାଯ୍ୟରେ ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କୁ ଯୁଦ୍ଧରେ ହରାଇ ଯୁଦ୍ଧବନ୍ଦୀ କରି ନେଇଗଲା ଗଜନୀକୁ । ଗଜନୀରେ ପୃଥ୍ୱୀରାଜଙ୍କ ଦୁଇ ଆଖି ନଷ୍ଟ କରି ଦେଲା ଓ ଅନେକ ଯାତନା ଦେଲା । ଏହି ଦୁର୍ଦ୍ଦିନ ସମୟରେ ରାଜକବି ତଥା ପୃଥ୍ୱୀରାଜଙ୍କ ପରମ ମିତ୍ର ଚନ୍ଦ ବରଦାଇ ଗଜନୀରେ ସମ୍ରାଟ ପୃଥ୍ୱୀରାଜଙ୍କୁ ଭେଟି ମନ୍ତ୍ରଣର ଦେଲା । ପୃଥ୍ୱୀରାଜ ସହିତ ମିଶି ମହମ୍ମଦ ଘୋରୀକୁ ହତ୍ୟା କରିବାର ଉପାୟ ଚିନ୍ତା କଲା । ମହମ୍ମଦ ଘୋରୀଙ୍କୁ କହିଲା କି, ପୃଥ୍ୱୀରାଜ ଧନୁବିଦ୍ୟାରେ ପ୍ରବୀଣ । ଏକାଥରକୁ ସାତଟି ଘଣ୍ଟା ଗୋଟିଏ ଶରରେ କଣା କରି ଦେଇ ପାରନ୍ତି । ଏହାକୁ ପରୀକ୍ଷା କରିବା ପାଇଁ ଘୋରୀକୁ ଉସୁକାଇଲା । ପୃଥ୍ୱୀରାଜ ଥିଲେ ଶଦ୍ଦଭେଦୀ ତୀରନ୍ଧାଜ । ପୃଥ୍ୱୀରାଜଙ୍କୁ ଘୋରୀ ପରୀକ୍ଷା କରୁଥିବା ସମୟରେ ଶଦ୍ଦଭେଦୀ ବାଣର ଅଧିକାରୀ ପଥ୍ୱୀରାଜ ଘୋରୀ ଉପରକୁ ବାଣ ଚଳାଇ ହତ୍ୟା କଲେ । ଶତ୍ରୁ ହାତରେ ମରିବା ଅପେକ୍ଷା ନିଜ ନିଜର ଆତ୍ମାହୁତି ଦେଇ ବୀରର ମରଣ ମରିବାକୁ ପୃଥ୍ୱୀରାଜ ଓ ଚନ୍ଦ ବରଦାଇ ପସନ୍ଦ କଲେ । ଆଜି ପର୍ଯ୍ୟନ୍ତ ଭାରତ ବର୍ଷରେ ଜନସାଧାରଣ ଇତିହାସ ପଢି ପୃଥ୍ୱୀରାଜଙ୍କ ବିରତ୍ୱ ଗାଥା ଗାଉଛନ୍ତି । ଏହି ହୃଦୟସ୍ପର୍ଶୀ ଐତିହାସିକ ନାଟକର ଲେଖକ ଦେବରାଜ ସାହୁ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଧ୍ୟାପକ ପ୍ରଶାନ୍ତ ଖମାରୀ । ଅଭିନୟରେ ଥିଲେ ଅନୀଲ ହୋତା, ସତ୍ୟବ୍ରତ ଆଚାର୍ଯ୍ୟ, କୁମୁଦ, ଦେବବ୍ରତ, ଲଳିତ, ସାଇଲିନ, ପ୍ରଶାନ୍ତ, ନବଘନ ଓ ନୂର । ଏହାପରେ ଅଭିନୀତ ହୋଇଥିଲା ନୃତ୍ୟ ନାଟିକା ନାବକେଳି । ପୌରାଣିକ କଥାବସ୍ତୁ ଶ୍ରୀକୃଷ୍ଣ ରାସଲୀଳା ଉପରେ ନାଟିକାଟି ଆଧାରିତ । ରାଧା-କୃଷ୍ଣ ଜମୁନା ନଦୀରେ ଦଦରା ନାଆରେ କରିଥିବା କେଳିର ଏହା ଏକ ବର୍ଣ୍ଣନା । ପ୍ରକୃତି ଓ ପୁରୁଷର ଅପୂର୍ବ ମିଳନ । ଷୋହଳ କଳାର ଅଧକାରୀ ଶ୍ରୀକୃଷ୍ଣ ରାଧାଙ୍କୁ ପାଇବାକୁ ବ୍ୟାକୁଳ ଚିତ୍ତ । ଆବାହନ କଲେ ଦୂତିଙ୍କୁ । ମଥୁରାରେ ଦହି ବିକିବାର ବାହାନ କରି ଦୂତି କୃଷ୍ଣଙ୍କ ଇସାରାରେ ରାଧା ଏବଂ ଗୋପବାଳୀମାନଙ୍କୁ ଡାକି ଆଣିଛି ଜମୁନା ଘାଟକୁ । କୃଷ୍ଣଙ୍କ ମାୟାରେ ଜମୁନା ନଈରେ ପାଣି ଭରିଗଲା । ଶ୍ରୀକୃଷ୍ଣ ବୃଦ୍ଧ ନାବିକର ରୂପ ଧରି ଜଣଜଣ କରି ପାରି କରିବାକୁ ସର୍ତ୍ତ ରଖିଲେ । ପ୍ରଥମେ ସୁନ୍ଦରୀ ରାଧାଙ୍କୁ ନାଆରେ ବସାଇ ଜମୁନା ନଈର ମଧ୍ୟସ୍ଥଳକୁ ନେଇଗଲେ । ସେଠାରେ ହେଲା ରାଧାକୃଷ୍ଣ ନାବକେଳି । ସୌଭାଗ୍ୟକ୍ରମେ ଏହାକୁ ସମସ୍ତ ଗୋପବାଳୀ ଦର୍ଶନ କରି ବିଭୋର ହେଲେ । ନାଟିକାକୁ ନିର୍ଦ୍ଦେଶନା ଦେଇଥିଲେ ଅଧ୍ୟାପକ ପ୍ରଶାନ୍ତ ଖମାରୀ । ଅଭିନୟରେ ଥିଲେ ପଙ୍କଜିନୀ, ରୂପାଲି, କଳ୍ପନା, ଐଶର୍ଯ୍ୟା, ରୀମା, ପୂଜା, ସସ୍ମିତା, କିଶୋର, ଲଳିତ, ନିଶିକାନ୍ତ, ନବଘନ, ସତ୍ୟବ୍ରତ ଓ ଆଶିଷ । ମଂଚସଜ୍ଜା କରିଥିଲେ ରବି, ଉତ୍ତମ, ବଳରାମ, କିଶୋର । ସୃଜନଶୀଳ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ନାଏକ । ଶଦ୍ଦ ଓ ଆଲୋକ କଳା ମନ୍ଦିର, ସମ୍ବଲପୁର ।

Leave A Reply

Your email address will not be published.

20 − three =