
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲା ପାଇକମାଲ ଅଂଚଳରେ ଗାଁ ଗାଁରେ ସାବିତ୍ରୀ ବ୍ରତ ପାଳନ ହୋଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ ନିଆରା ଢଙ୍ଗରେ । ଏହିପର୍ବ ପାଳନ ପାଇଁ ଗାଁର ମହିଳାମାନେ ଶୁକ୍ରବାର ରାତିରେ ଏକ ସଭା କରି କିପରି ସାବିତ୍ରୀ ବ୍ରତ ପାଳନ ହେବ ସେନେଇ ଯୋଜନା ପ୍ରସ୍ତୁତ କରି ଶନିବାର ଏହି ପର୍ବ ମହା ଆନନ୍ଦରେ ପାଳନ କରିଛନ୍ତି । ଗ୍ରାମର ମଝିରେ ଥିବା ଏକ ବିରାଟ ବରଗଛ ତଳେ ସମସ୍ତ ମହିଳାମାନେ ପୂଜା ସାମଗ୍ରୀ ନେଇ ସୁନ୍ଦର ପୋଷାକ ପିନ୍ଧି ବୋହୂ ବେଶରେ ସଜାଇ ହୋଇ ପୂଜା କରିଛନ୍ତି । ପୂଜକ ଭାବରେ ପଣ୍ଡିତ କୁଳମଣି ମିଶ୍ର ଦାୟିତ୍ୱ ତୁଳାଇ ପୂଜାପାଠ କରି ସାବିତ୍ରୀ ବ୍ରତ ପୁରାଣ ପଢି ପୂଜାରେ ବସି ଥିବା ମହିଳା ମାନଙ୍କୁ ଶୁଣାଇ ଥିଲେ । ବରଗଛ ମୂଳରେ ସିଲ ଶିଲୁପୁଅଜ୍ଝ ସହ ଲକ୍ଷ୍ମୀ ନାରାୟଣ ଓ ତୁଳସୀ ବୃକ୍ଷ ରଖାଯାଇ ପୂଜା କରାଯାଇଛି । ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ କମ୍ପିଥିଲା ପୂଜା ସ୍ଥଳୀ । ସମସ୍ତେ ନିଜ ନିଜର ସ୍ୱାମୀ ମାନଙ୍କ ଦୀର୍ଘାୟୁ କାମନା କରି ୭ ଗୋଟି ଚୁଡ଼ି, ଗୁଆ, ଦୁବପତ୍ର, ହଳଦୀଗଣ୍ଠି ବ୍ରତ, ଫୁଲ, ଫଳ ଧରି ବରଗଛକୁ ସାତ ଥର ପ୍ରଦକ୍ଷୀଣ କରି, ଧୂପ ଆଳତି ଦେଇ ମୁଣ୍ଡିଆ ମାରି ପୂଜା ଶେଷ କରିଥିଲେ । ଏଥିସହ ନିଜ ନିଜ ଘରକୁ ଫେରି ଆସି ମହିଳାମାନେ ନିଜ ସ୍ୱାମୀମାନଙ୍କୁ ପୂଜା ଘର ପାଖରେ ୧୦୮ ଗୋଟି ଦୂବରେ, ଆରତୀ ଉତାରି, ଗୋଡ ଧୋଇ, ଗୋଡ ଧୁଆ ପାଣି ପିଇ ଥିଲେ ଓ ସ୍ତ୍ରୀ ଧର୍ମ ନିଭାଇ ଥିଲେ । ପୂଜା ସାରିବା ପରେ କେବଳ ଫଳମୂଳ ଖାଇବା ପାଇଁ କହିବା ସହ ନିର୍ଜଳା ଉପବାସ କରିବା ସାବିତ୍ରୀ ବ୍ରତର ନିୟମ ଅଛି ବୋଲି ପଣ୍ଡିତ ଶ୍ରୀ ମିଶ୍ର କହିଥିଲେ ।