csstore

ମାସିକ ରଚନା ସଂଧ୍ୟା ଅନୁଷ୍ଠିତ : ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ସହିତ ଅନ୍ତରଙ୍ଗ ଆଳାପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ସଭା କକ୍ଷରେ ମାସିକ ରଚନା ସଂଧ୍ୟା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ସହିତ ଅନ୍ତରଙ୍ଗ ଆଳାପରେ ଅଂଶଗ୍ରହଣ କରିଥିଲେ କବି ଆନଂଦ ଚଂଦ୍ର ସାହୁ । ରଚନାର ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିବା ବଲାଙ୍ଗିର ମାଟିର ବିଶିଷ୍ଟ ସାରସ୍ୱତ ସାଧକ, କୋଶଲୀ ଭାଷା ସାହିତ୍ୟ ଓ ସଂସ୍କୃତି ଗବେଷକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଆଳାପ ଆଲୋଚନାରେ ନିଜର ଜୀବନ ସଂପର୍କରେ ତଥା ସ୍ୱକୀୟ କୃତି ଓ ଅନୁଭୂତି ସଂପର୍କରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଥିଲେ । କୋଶଲୀ ଭାଷା ସରକାରୀ ମାନ୍ୟତା ପାଇବା ନିହାତି ଆବଶ୍ୟକ ଓ ପଶ୍ଚିମ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ଏହି ଭାଷାରେ ବିଦ୍ୟା ଅଧ୍ୟୟନ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିବା ସହ କୋଶଲୀ ଭାଷାର ବିଭିନ୍ନ ବଳିଷ୍ଠ ଦିଗ ଓ ବିଭବ ସଂପର୍କରେ ଆଲୋଚନା କରିଥିଲେ । ନିଜ ସଂଘର୍ଷମୟ ଜୀବନରେ କିଭଳି ନାନା ଘାତ ପ୍ରତିଘାତ ଆସିଥିବା ସତ୍ୱେ ସେ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ଓ କୋଶଲୀ ଭାଷାକୁ ବଳିଷ୍ଠ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରୁଛନ୍ତି, ସେ ଦିଗରେ ମଧ୍ୟ ସେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ବଲାଙ୍ଗିର ଜିଲ୍ଲାର ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁ ପଦ୍ମଶ୍ରୀ ଶ୍ରୀ ଗୁରୁଙ୍କୁ ସମ୍ମାନିତ କରିଥିବା ବେଳେ ରଚନାର ସଦସ୍ୟ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ରଚନାର ସଂପାଦକ ଭାଗୀରଥି ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାନେତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ, କସ୍ତୁରୀ ରଥ, ଗୋପବନ୍ଧୁ ରଥ, ସୁରେନ୍ଦ୍ର କୁମାର ତ୍ରିପାଠୀ, ଶରଦିନ୍ଦୁ ଭୂଷଣ ହୋତା, ପ୍ରହଲ୍ଲାଦ ଶତପଥୀ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଭବାନୀ ଶଙ୍କର ପଟେଲ, ରାମ ଶତପଥୀ, ରାମଭକ୍ତ ଫରିକାର, ଡ. କୌତୁକ ପନ୍ଦର, ଡ. ଜଗନ୍ନାଥ ସାହୁ ତଥା ସହରର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.