jayashree

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ : ଅଞ୍ଚଳରେ ଭୟର ବାତାବରଣ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ରେଢ଼ାଖୋଲ ବନଖଣ୍ଡ ଅଧୀନ ବଡବାହାଲ ରେଞ୍ଜରେ ପୁଣି ଦେଖିବାକୁ ମିଳିଛି ଦନ୍ତା ହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ । ସୂଚନା ଅନୁଯାୟୀ, ନରେନ୍ଦ୍ର ମଙ୍ଗଳବାର ସାନ ନୂଆପଡା ଗାଁକୁ ଆସିଥିଲେ । ରାତି ପ୍ରାୟ ୧୧ଟା ସମୟରେ ସେ ନିଜ ଘରକୁ ଫେରୁଥିବାବେଳେ ବଡବାହାଲ ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ହାତୀ ସାମ୍ନାରେ ପଡ଼ିଥିଲେ । ହାତୀଟି ତାଙ୍କୁ ଦେଖି ଆକ୍ରମଣ କରିଥିଲା । ପ୍ରଥମେ କଚାଡ଼ି ଦେବା ପରେ ଦଳି ଦେଇଥିବାରୁ ଘଟଣାସ୍ଥଳରେ ହିଁ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। । ମୃତଦେହକୁ ଜବତ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦନ୍ତା ହାତୀ ଗାଁ ନିକଟରେ ଘୁରିବୁଲୁଥିବାରୁ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସ୍ଥାନୀୟ ବାସିନ୍ଦାମାନେ ହାତୀଟିକୁ ତୁରନ୍ତ ଜଙ୍ଗଲ ଅଞ୍ଚଳକୁ ଘଉଡ଼ାଇବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.