
ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଗକୁ ଆସିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ପରିଷଦର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କୁଳପତିଙ୍କୁ ପ୍ରଦାନ କରାଯାଇଛି । ଦାବି ମଧ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାର ଫଳ ତୁରନ୍ତ ପ୍ରକାଶ, ବିଶ୍ୱବିଦ୍ୟାଳୟର ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ସହ ସମସ୍ତ ବିଭାଗରେ ବିଶୁଦ୍ଧ ଜଳ ଯୋଗାଣ, ସୁରକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟଧାରା ଯାଞ୍ଚ କରିବାକୁ ଦାବି କରାଯାଇଛି । ସେହିପରି ପିଜି ହଷ୍ଟେଲରେ ନବନିର୍ମିତ ମେସ୍ ରୁମ୍ ତୁରନ୍ତ ଖୋଲିବା ସହ ଦୀର୍ଘ ଏକ ମାସ ଧରି ବନ୍ଦ ରହିଥିବା ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍ ପୁନଃ ଖୋଲିବାକୁ ଦାବି ହୋଇଛି । କ୍ୟାଣ୍ଟିନ୍କୁ ନେଇ ଉଠିଥିବା ଅଭିଯୋଗର ମଧ୍ୟ ଉପଯୁକ୍ତ ତଦନ୍ତ କରିବାକୁ ପରିଷଦ ଦାବି କରିଛି । ଏହି ଅବସରରେ ଏବିଭିପିର ଆକାଶ ମିଶ୍ର, ମଞ୍ଜିତ କୁମାର କର୍ମୀ, ବ୍ୟୋମକେଶ ଦତ୍ତ ତ୍ରିପାଠୀ, ରୁଦ୍ର ଭାସ୍କର ସାହୁ, ଦୁଷ୍ମନ୍ତ ରଣା, ଖଗେଶ୍ୱର ଭୋଇ, ଅବିନାଶ ଦୋରା, ସ୍ୱାଗତ କୁମାର ପ୍ରଧାନ ଓ ଏରିଏଲ୍ କୁମାର ନାଏକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଦାବିଗୁଡ଼ିକର ଯଥାଶୀଘ୍ର ସମାଧାନ କରାଯିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଥିବା ପରିଷଦ ପକ୍ଷରୁ କୁହାଯାଇଛି ।