
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ତଆଁଳା ସାହିରେ ଘଟିଛି ଏକ ହୃଦୟବିଦାରକ ଅଘଟଣ । ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଦୁଇଜଣ ହେଲେ ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ ଓ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ । ସୂଚନା ଅନୁଯାୟୀ, ଗତକାଲି ରାତିରେ ହୋଇଥିବା ଝଡ଼ବର୍ଷା ଯୋଗୁଁ ସେମାନଙ୍କ ଘର ନିକଟରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ ମନୀଷା ଦେହୁରୀ ରୋଷେଇ କରିବା ପାଇଁ ଯାଉଥିବାବେଳେ ରୋଷେଇ ଘର ପାଖରେ ପଡ଼ିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କରେଣ୍ଟ ଆଘାତରେ ଗୁରୁତର ହୋଇପଡ଼ିଥିଲେ । ମନୀଷାଙ୍କ ଚିତ୍କାର ଶୁଣି ବଡ଼ ଯାଆ ରଞ୍ଜୁ ଦେହୁରୀ ତାଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଜଣଙ୍କୁ ବଞ୍ଚାଇବାକୁ ଯାଇ ଉଭୟଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣା ପରେ ରଞ୍ଜାଗୋଳ ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।