jayashree

ବିପର୍ଯ୍ୟସ୍ତ ଅବସ୍ଥାରେ ପାତ୍ରପୁଟ-ଲକ୍ଷ୍ମୀପୁର ରାସ୍ତା, ଯାତାୟାତରେ ଲୋକେ ହନ୍ତସନ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଓ କଲନରା ବ୍ଲକକୁ ସଂଯୋଗ କରୁଥିବା ପାତ୍ରପୁଟରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ଆରଡି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପ୍ରାୟ ୧୦ କିଲୋମିଟର ଦୀର୍ଘ ଏହି ରାସ୍ତା ଗତ କିଛି ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ମରାମତି ହୋଇଥିଲେ ମଧ୍ୟ ଏବେ ଏହାର ଅବସ୍ଥା ଶୋଚନୀୟ। ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯିବା ସହ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଏହି ରାସ୍ତା ଲକ୍ଷ୍ମୀପୁର, ଗାଡ଼ିଶେଷଖାଲ, ମାଉଡ଼ିଗୁଡ଼ା, ଏମାଳିଗୁଡ଼ା, ବିନିସିପୁର ଓ ଗାଧବାଗୁଡ଼ା ସମେତ ଅନେକ ଗ୍ରାମକୁ ପାତ୍ରପୁଟ ସହ ସଂଯୋଗ କରୁଛି। ଦୈନିକ ଏହି ରାସ୍ତା ଦେଇ ଶତାଧିକ ଲୋକ ଯାତାୟାତ କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଯୋଗୁଁ ମଟରସାଇକେଲ ଚଳାଚଳ ଠାରୁ ଆରମ୍ଭ କରି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବିଶେଷକରି ପାତ୍ରପୁଟରୁ ବିନିସିପୁର ଦେଇ ଲକ୍ଷ୍ମୀପୁର ଓ କଲ୍ୟାଣସିଂହପୁର ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନ୍ୟପକ୍ଷରେ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟବସ୍ଥା ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କାମ ଆରମ୍ଭ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ନେଇ ମଧ୍ୟ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ତିନି ବର୍ଷ ମଧ୍ୟ ଠିକ୍‌ ଭାବେ ରହିପାରିଲା ନାହିଁ କିପରି, ତାହାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଜିଲ୍ଲା ପ୍ରଶାସନ ଓ ଆରଡି ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ତୁରନ୍ତ ରାସ୍ତାର ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.