pakka

ଗୋପାଳପୁର ବେଳାଭୂମି ମହୋତ୍ସବ – ୨୦୨୨କୁ ଅଧିକ ଆକର୍ଷିତ କରାଯିବ : ଜିଲ୍ଲାପାଳ

  • ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶିତ ହେବ
  • ସ୍ମରଣୀକା ‘ଶାମୁକା’ ଉନ୍ମୋଚନ ହେବ । ଦୈନିକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ – ୨୦୨୨ ସମାହିତ ହେବ । ଦୈନିକ ସନ୍ଧ୍ୟାରେ ଆଞ୍ଚଳିକସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶୀୟସ୍ତରୀୟ, ରାଜ୍ୟସ୍ତରୀୟ, ବିଭିନ୍ନ ଜିଲ୍ଲାରୁ ଓଡିଶୀ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକକଳା ଏବଂ ଓଲିଉଡ, ସିନେତାରକା, ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥି ସହ ମେଳା ମହୋତ୍ସବ ପରିସରରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶିତ ହେବ । ବିଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ମରଣୀକା ‘ଶାମୁକା’ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କୋରନା କଟକଣା ଲାଗି ୨୦୨୦ ମସିହା ଠାରୁ ଏହି ମହୋତ୍ସବ ବନ୍ଦ ଥିଲା ।

ସ୍ମରଣୀକା ଶାମୁକା ପ୍ରକାଶନ ସକାଶେ ପ୍ରବନ୍ଧ ଗୁଡିକୁ ଆହ୍ୱାନ କରାଯାଉଛି । ଏ ଦିଗରେ ପଦକ୍ଷେପ ନେବାକୁ ସରକାରୀ ଭାବେ କୁହାଯାଇଛି । ଏଥି ସକାଶେ ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ କିଭଳି ଜନ ସାଧାରଣଙ୍କ ନିମନ୍ତେ ଆକୃଷ୍ଟ ହେବ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧିକ ଗୁରୁତ୍ତ୍ୱାରୋପ କରିଛନ୍ତି । ଚଳିତ ମାସ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ୨୦୦ ଗୋଟି ଷ୍ଟଲ୍‌ରେ ସ୍ୱୟଂ ସହାୟକ ଗୋଷ୍ଠୀ, କଳାକାରମାନଙ୍କର ସାମଗ୍ରୀ ପ୍ରଦର୍ଶିତ ହେବା ସହିତ ବିକ୍ରିବଟା କରିପାରିବେ । ସ୍ଥାନୀୟ କଳାକାରଗଣ ଯେଭଳି ଅଧିକ ସଂଖ୍ୟାରେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଯେଉଁ ଅନୁଷ୍ଠାନ ଗୁଡିକ ଗୋପାଳପୁର ବେଳାଭୂମି ମହୋତ୍ସବ, ଛତ୍ରପୁର ପଲ୍ଲିଶ୍ରୀ ମେଳା ଏବଂ ବ୍ରହ୍ମପୁର ପଲ୍ଲିଶ୍ରୀ ମେଳାରେ ଦଳୀୟ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ । ଦଳଗତ ନୃତ୍ୟ ପରିବେଷଣ ସକାଶେ ଜିଲ୍ଲା ସଂସ୍କୃତି ଅଧିକାରୀ, ଗଞ୍ଜାମଙ୍କୁ ଆବେଦନ କରି ନିଜର ଆବେଦନ ପତ୍ର ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଛତ୍ରପୁର କିମ୍ବା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରେ ଚଳିତ ମାସ ୧୧ ଡିସେମ୍ବର ୨୦୨୨ ସୁଦ୍ଧା ନିଜର ଆବେଦନ ପତ୍ର ଯୋଗାଯୋଗ ନମ୍ବର ସହିତ ଆବେଦନ କରିପାରିବେ । ଡିସେମ୍ବର ୧୨ ତାରିଖ ଏବଂ ୧୩ ତାରିଖ ଏହି ଦୁଇ ଦିନ ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଚୟନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ସେହି ଚୟନ କାର୍ଯ୍ୟକ୍ରମରେ ସାମିଲ ହୋଇ ଚୟନ ହୋଇଥିବା ସ୍ଥାନୀୟ କଳାକାର ଗୋଷ୍ଠୀଙ୍କୁ ବେଳାଭୂମି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଏକ ସ୍ମରଣୀକା ‘ଶାମୁକା ‘ ପ୍ରକାଶିତ ହେବ । ଏହି ସ୍ମରଣୀକା ସକାଶେ ବିଶିଷ୍ଟ ଲେଖକମାନଙ୍କ ଠାରୁ ଗଞ୍ଜାମ ଜିଲ୍ଲା ସମ୍ପର୍କିତ କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ଜଡିତ ଗବେଷଣାତ୍ମକ ଲେଖା ଗୁଡିକ ପ୍ରକାଶିତ ହେବ । ଏଥି ନିମନ୍ତେ ଇଚ୍ଛୁକ ଥିବା ଲେଖକଗଣ ସେମାନଙ୍କ ଓଡିଆ କିମ୍ବା ଇଂରାଜୀ ପ୍ରବନ୍ଧ ଲେଖା ଚଳିତ ମାସ ୨୦ ତାରିଖ ସୁଦ୍ଧା ସେମାନଙ୍କ ଲେଖା ଗୁଡିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଞ୍ଜାମଙ୍କୁ ପଠାଇବା ସକାଶେ ଅନୁରୋଧ କରାଯାଉଛି । ଲେଖା ଗୁଡିକ ଶ୍ରୀଲିପିରେ ଟାଇପ୍ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଇ-ମେଲ [email protected]ଙ୍କୁ ସଫ୍ଟ କପି ପ୍ରେରଣ କରିବା ସହିତ ହାର୍ଡ କପି ମଧ୍ୟ ଦାଖଲ କରିବାକୁ ଅନୁରୋଧ କରାଯାଉଛି । ପଠାଇ ଥିବା ସଂପୃକ୍ତ ଲେଖା ଗୁଡିକ ସମ୍ପର୍କିତ କିଛି ଫଟୋଚିତ୍ର ଯଦି ଥାଏ ତେବେ ସେଗୁଡିକୁ ମଧ୍ୟ ଉପରେ ଦର୍ଶାଯାଇଥିବା ଇ-ମେଲ୍ ଠିକଣାରେ ପ୍ରେରଣ କରିବାକୁ ଅନୁରୋଧ କରାଯାଉଛି । ଲେଖା ପ୍ରେରଣ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ଠିକଣା ଏବଂ ଯୋଗାଯୋଗ ନମ୍ବର ମଧ୍ୟ ଉକ୍ତ ଲେଖା ପରିଶେଷରେ ଦର୍ଶାଇବାକୁ ଅନୁରୋଧ କରାଯାଉଛି । ଲେଖା ଗୁଡିକ ସମ୍ପାଦକ ମଣ୍ଡଳୀଙ୍କ ଦ୍ୱାରା ଚୟନ ଅବା ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଉକ୍ତ ଲେଖା ଗୁଡିକୁ ବା ପ୍ରବନ୍ଧ ଗୁଡିକୁ ପ୍ରକାଶନ କରାଯିବ, ଅଥବା ସ୍ମରଣୀକା ‘ଶାମୁକା’ରେ ସ୍ଥାନ ପାଇବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

fourteen − 7 =