ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୂର ପଞ୍ଚାୟତ ଯୋରକଣି ଗ୍ରାମର ମିଟୁ ପ୍ରଧାନ ଓ ଟିକନ ପ୍ରଧାନଙ୍କ ଦୁଇ ବଖରା ଚାଳଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସକାଳ ୮.୩୦ରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଏହାଦେଖି ପରିବାର ଲୋକେ ଡାକ ପକାଇବାରୁ ପଡୋଶୀ ଓ ଗ୍ରାମବାସୀମାନେ ଆସି ନିଆଁ ଲିଭାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ନେତୃତ୍ଵରେ ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଉଭୟ ପରିବାର ଦୁଇ ବଖରା ସମେତ ଘରର ଆସବାବପତ୍ର, ଧାନ, ଚାଉଳ, ଲୁଗାପଟା, ବୈଦ୍ୟୁତିକ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ନଚୀକେତା ଦାଶ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନ ପରିବାରଙ୍କୁ ପଲିଥିନ ଯୋଗାଇଦେଇଛନ୍ତି । ବିପନ୍ନ ପରିବାର ବିପିଏଲ ଅନ୍ତର୍ଭୁକ୍ତ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବୀ ହୋଇଛି ।