
- ଆମ୍ବୁଲାନ୍ସରେ ଅକ୍ସିଜେନ୍ ଟାଙ୍କି ବିସ୍ଫୋରଣ, ଜଣେ ରୋଗୀ ମୃତ, ୨ ଗୁରୁତର
ମୟୂରଭଞ୍ଜ, (କେପିଏନ୍ଏସ୍) : ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନା ପରିସରରେ ଘଟିଛି ଏକ ଭୟାବହ ଅଘଟଣ । ଅକ୍ସିଜେନ୍ ଟାଙ୍କି ଫାଟି ଜଳିଗଲା ଘରୋଇ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, କୁଣ୍ଡାବାଇ ଅଞ୍ଚଳର ସୁଯୋଶ କୁମାର ବାରିକ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବାରିପଦା ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ଆମ୍ବୁଲାନ୍ସ ଭିତରେ ତାଙ୍କୁ ଅକ୍ସିଜେନ୍ ଦିଆଯାଉଥିବା ବେଳେ ହଠାତ୍ ଟାଙ୍କିଟି ବିସ୍ଫୋରଣ ହୋଇଥିଲା । ଫଳରେ ଆମ୍ବୁଲାନ୍ସରେ ନିଆଁ ଲାଗିଯିବା ସହ ଏହାର ଛାତ ଉଡ଼ିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଜଳନ୍ତା ଆମ୍ବୁଲାନ୍ସରୁ ସୁଯୋଶଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଅଘଟଣରେ ନୁଦଡ଼ିହା ଅଞ୍ଚଳର ଶରତ ପ୍ରଧାନ ଓ କୁଣ୍ଡାବାଇର ମାସି ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅକ୍ସିଜେନ୍ ଟାଙ୍କି ବିସ୍ଫୋରଣର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।