ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ବଉଦ ଏବଂ ଅନୁଗୁଳ ଜିଲ୍ଲାରେ ବାସ କରୁଥିବା ‘କୁଲି’ ଜାତିର ଲୋକମାନେ ଆଦିବାସୀ ନୁହନ୍ତି । କୁଲି ଜାତିର ଆଦିବାସୀ ସଂସ୍କୃତି ନାହିଁ ଏବଂ ଏହି ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେବାପାଇଁ ୧୯୬୫ ମସିହାରେ ଜଷ୍ଟିସ ବି.ଏନ. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଏଡଭାଇଜରି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ୧୯୬୨ ମସିହାରେ ଓଡିଶା ସରକାରଙ୍କ ଆଦିବାସୀ ଗ୍ରାମ ମଙ୍ଗଳ ବିଭାଗର ଆସିଷ୍ଟାଂଟ ଡାଇରେକ୍ଟର କେ. ମହାପାତ୍ର ସମ୍ବଲପୁର, ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ବାସ କରୁଥିବା କୁଲି ଜାତିର ଲୋକମାନଙ୍କ ସାମାଜିକ, ସାଂସ୍କୃତିକ ରୀତି, ନୀତି, ଚଳଣି ସର୍ଭେ କରି ଏମାନଙ୍କର ଆଦିବାସୀ ସଂସ୍କୃତି ନାହିଁ ବୋଲି ତାଲିକାରୁ ବାଦ ଦେବାପାଇଁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ୧୯୭୯ ମସିହାର ପୁଣିଥରେ କୁଲି ଜାତିର ସାଂସ୍କୃତିକ, ସାମାଜିକ ଜୀବନ ଉପରେ କ୍ଷେତ୍ର ଅଧ୍ୟୟନ କରି ଏହି ଜାତି ଆଦିବାସୀ ନୁହନ୍ତି ବୋଲି କହିଲା ପରେ ଓଡିଶା ରାଜ୍ୟ ସରକାରଙ୍କ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ ଚିଠି ନଂ କୁଲି ୮୫୬୮/ ପିଏଲ୍ (ଆଇ) ୧୭/୧୮/ଏଚ୍ଟିଡବ୍ଲ୍ୟୁ ତା.୧୯/୦୩/୧୯୮୧ ଚିଠିରେ କୁଲି ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେବାପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଗଲା ପରେ ତାହା ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର ଶୀତଳ ଭଣ୍ଡାରରେ ପଡି ରହିଛି । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଏହି ଅଣ ଆଦିବାସୀ କୁଲି ଜାତିକୁ ତାଲିକାରୁ ତୁରନ୍ତ ବିଦା କରି ଏ ଜାତିର ଲୋକଙ୍କୁ ଆଦିବାସୀ ନାମରେ ଜାତି ସାର୍ଟିଫିକେଟ ନଦେବାକୁ ଦୃଢ ଦାବୀ କରି ଆସୁଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ବହୁ ଆଦିବାସୀ ଯୁବକ/ଯୁବତୀଙ୍କ ସଂରକ୍ଷଣ ସ୍ଥାନ ଗୁଡିକୁ ଏହି କୁଲି ଜାତି ଛଡାଇ ନେଇ ଅନଗ୍ରସର ଆଦିବାସୀ ସଂପ୍ରଦାୟକୁ ସର୍ବନାଶର ମୁହଁକୁ ଠେଲି ଦେଉଛନ୍ତି । ସ୍ୱାଧୀନତା ପରଠାରୁ ଏହି ଅଣଆଦିବାସୀ କୁଲି ଜାତିର ଲୋକମାନେ ବର୍ତ୍ତମାନ ମଧ୍ୟ ଏହି ସୁବିଧା ଭୋଗ କରି ଆସୁଛନ୍ତି, ଯଦିଓ ଏମାନଙ୍କର କୌଣସି ଆଦିବାସୀ ସଂସ୍କୃତି ନାହିଁ । କୁଲି ଜାତି କିପରି ଅନୁସୂଚୀତ ଜନଜାତି କିମ୍ବା ଅନୁସୂଚୀତ ଜାତି ସଂପ୍ରଦାୟ ଅନ୍ତର୍ଭୁକ୍ତ ନୁହେଁ ତାହାର କେତୋଟି ଦୃଷ୍ଟାନ୍ତ ଦିଆଯାଇଛି । ଯେପରିକି କୁଲି ଜାତିର ଲୋକମାନେ କଟିଆ(ଏସ.ସି.), ତନ୍ତ୍ରୀ(ଏସ.ସି.), ଡୁଳାଭିଣା(ଓବିସି), ରଙ୍ଗିଣୀ (ଓବିସି) ଆଦି ସଂପ୍ରଦାୟର ଲୋକଙ୍କ ସହିତ ବୈବାହିକ ସଂପର୍କ ସାମାଜିକ ସ୍ୱୀକୃତି ନେଇ କରି ଆସୁଛନ୍ତି । କୁଲି ଜାତି ଏକ ବୁଣାକାର ଜାତି । କୋଷ୍ଟା, ଭୁଲିଆ, ଡୁଳାଭିଣା, ରଙ୍ଗିଣୀ ଜାତି ଭଳି ଅନ୍ୟ ବୁଣାକାର ଜାତି ଓବିସି ତାଲିକାରେ ରହିଥିବା ବେଳେ ଏମାନେ ଏସ.ଟି. କିପରି ହେଲେ? କୁଲି ଜାତିର ବିବାହ ବ୍ରାହ୍ମଣ ପୁରୋହିତ ଦ୍ୱାରା ସଂପନ୍ନ ହୁଏ ଏବଂ ଏହି ବିବାହ ପୂର୍ବରୁ ଏମାନଙ୍କ ସବର୍ଣ୍ଣ ଉଚ୍ଚ ବଂଶଜ ମାନଙ୍କ ଭଳି ରିଙ୍ଗ ସେରିମନି ବର କନ୍ୟା ମଧ୍ୟରେ ହୋଇଥାଏ । ଯାହା କୌଣସି ଆଦିବାସୀ ସଂସ୍କୃତିରେ ନାହିଁ । କୁଲି ମାନେ ହିନ୍ଦୁ ଧର୍ମାବଲମ୍ବୀ । ଏମାନେ ରାମ, କୃଷ୍ଣ, ଜଗନ୍ନାଥ, ଲକ୍ଷ୍ମୀ, ଶିବ ଆଦି ହିନ୍ଦୁ ଦେବାଦେବୀ ପୂକା କରନ୍ତି । କନ୍ଧକେଲ ଗାଁରେ ରାମ ମନ୍ଦିର ସ୍ଥାପନ କରିଛନ୍ତି । ବରଗଡରେ ରଥଯାତ୍ରା ମଧ୍ୟ ପାଳନ କରନ୍ତି । ଉଲବା ଗ୍ରାମରେ ଶିବ ମନ୍ଦିରରେ କୁଲିମାନଙ୍କ ପୂଜାର୍ଚ୍ଚନା ସର୍ବାଧିକ । କୁଲି ମାନଙ୍କର କୌଣସି ଆଦିବାସୀ ଦେବା ଦେବୀ ନାହାନ୍ତି । ଏମାନେ ନିଜକୁ ଆଦିବାସୀ ବୋଲି ପ୍ରମାଣ କରିବା ପାଇଁ ୨୦୧୨ ମସିହାରୁ କୁଲି ବୁଢା, କୁଲି ବୁଢୀ ନାମରେ ଧରନି ଖୁଂଟା ସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଏ ପୂଜା ନଥିଲା । କରମସାନି ଦେବୀ ରଜା ଏମାନେ କରି ନିଜକୁ ଆଦିବାସୀ କହିଥାନ୍ତି । କିନ୍ତୁ କରମସାନୀ ସବୁ ସଂପ୍ରଦାୟର ଲୋକମାନେ ଓବିସି ଓ ଜେନେରାଲ ଲୋକମାନେ ମଧ୍ୟ ଏହି ଦେବୀଙ୍କର ପୂଜା କରନ୍ତି । କୁଲି ମାନଙ୍କର ସ୍ୱତନ୍ତ୍ର ଭାଷା ନାହିଁ । ଏମାନଙ୍କ କଥିତ ଭାଷା କୋଷ୍ଟା, ଭୁଲିଆ, ଅଘରିଆ ଓ ଚମାର ଜାତିର ଲୋକଙ୍କ ଭାଷା ସହିତ ସାମ୍ୟ ରଖେ । କୁଲି ଜାତି ଅସ୍ପୃଶ୍ୟ ନୁହନ୍ତି । ଏମାନେ ଅନଗ୍ରସର ମଧ୍ୟ ନୁହନ୍ତି । ଶିକ୍ଷା କ୍ଷେତ୍ରରେ ଓ ଆର୍ଥିକ ଉନ୍ନତିରେ ଏହି ଜାତି ପ୍ରଗତିଶୀଳ । ଏଣୁ ଏହି ଜାତିକୁ ତୁରନ୍ତ ଆଦିବାସୀ ତାଲିକାରୁ ବାଦ ଦେଇ ସମଗ୍ର ଆଦିବାସୀ ସମାଜର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବାପାଇଁ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂଭୋଇ, ସୋନପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ, ସମ୍ବଲପୁର ଜିଲ୍ଲା ସଭାପତି କୁସମନ ମୁଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ପରମାନନ୍ଦ ମାଝି, ବଉଦ ଜିଲ୍ଲା ସଭାପତି ସାମନ୍ତ ମାଝି, ନୂଆପଡା ଜିଲ୍ଲା ସଭାପତି ଭାନୁପ୍ରତାପ ସିଂମାଝି, ରାୟଗଡା ଜିଲ୍ଲା ସଭାପତି ଜିତୁ ଜାକେସିକା ପ୍ରମୁଖ ଦୃଢ ଦାବୀ କରିଛନ୍ତି ।
Prev Post