• ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ନେଇ ଜନ ଅସନ୍ତୋଷ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦାକ୍ଷିଣାଞ୍ଚଳର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ତଥା ବଡ଼ ମେଡିକାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବହୁ ଗଣମାଧ୍ୟମରେ ଓ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇବାରେ ଲାଗିଛି । ବଡ଼ ମେଡ଼ିକାଲରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପ୍ରତିଦିନ ଭିନ୍ନ ଭିନ୍ନ ଦୃଶ୍ୟର ବିରଳ ଚିତ୍ର ଭାଇରାଲ ହେବାରେ ଲାଗିଛି । ତଥାପି ରାଜ୍ୟ ସରକାର କୌଣସି ବିହିତ ପ୍ରତିକାରର ବ୍ୟବସ୍ଥା କରୁନାହାନ୍ତିଁ ବୋଲି ମତ ପ୍ରକାଶ ହୋଇଛି । ଫଳରେ ଦକ୍ଷିଣ ଓଡିଶାବାସୀଙ୍କ ମହଲରେ ଅସନ୍ତୋଷର ସହ କ୍ଷୋଭ ପ୍ରକାଶ ପାଇଛି । ବଡ଼ ମେଡ଼ିକାଲର ବିଭିନ୍ନ ପ୍ରକୋଷ୍ଠର ଛାତରୁ ସିଲିଂ ଖସିବା ସ୍ୱାଭାବିକ ହୋଇଥିବା ବେଳେ ରୋଗୀସେବାରେ ଆଶୁ ଫଳପ୍ରଦ ହୋଇ ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ପ୍ରସବ କକ୍ଷରେ ଶିଶୁଙ୍କୁ ସ୍ଥାନାନ୍ତର ବେଳେ ଗୋଟିଏ ସିଲିଣ୍ଡରରୁ ତିନୋଟି ଶିଶୁଙ୍କୁ ଅକ୍ସସିଜେନ ସଂଯୋଗର ବିରଳ ଅଭାବନୀୟ ଦୃଶ୍ୟ ଏବେ ସବୁଆଡେ ଭାଇରାଲ ହୋଇଛି । ତଥାପି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ରାଜ୍ୟ ପ୍ରଶାସନର କୌଣସି ପ୍ରତିକାର ଏବଂ ବିହିତ ପଦକ୍ଷେପ କିମ୍ବା ଆଶୁ ବନ୍ଦୋବସ୍ତ ହୋଇପାରୁ ନ ଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବ୍ରହ୍ମପୁର ବଡ଼ ମେଡିକାଲର ଏହି ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ନେଇ ଏଠାରେ ଜନ ଅସନ୍ତୋଷ ଦେଖାଦେଇଛି । ଖୁବ୍ଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ସାଧାରଣରେ ଦାବୀ ହୋଇଛି ।