csstore

ବହୁ ଚର୍ଚ୍ଚିତ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ : ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ରେ ପତିପତ୍ନୀଙ୍କୁ ନୃଶଂସ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା ଚିତା ଡୁଙ୍ଗୁରିରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ଏକ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଲୋମହର୍ଷଣକାରୀ ଘଟଣାରେ ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ର ପତିପତ୍ନୀ ଚିନ୍ତାମଣି ବରିହା(୫୫) ଓ ରୁକ୍ମଣୀ ବରିହା(୫୦)ଙ୍କୁ ନୃଶଂସ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା ଚିତା ଡୁଙ୍ଗୁରିରେ । ଏହି ଘଟଣା ସାରା ରାଜ୍ୟରେ ସେତେବେଳେ ଚହଳ ସୃଷ୍ଟି କରିଥିଲା । ସୂଚନା ଅନୁସାରେ ଗତ ୧୬ ସେପ୍ଟେମ୍ବର ୨୦୧୯ରେ ଲରମ୍ଭା ଥାନା ଅଧୀନସ୍ଥ ଗୌଡ଼ପାଲିର ଗ୍ରାମରକ୍ଷୀ ସୁରେନ୍ଦ୍ର ମହାନନ୍ଦ ଲରମ୍ଭା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ଏବଂ ୧୮ ସେପ୍ଟେମ୍ବର ୨୦୧୯ରେ ତତ୍‌କାଳୀନ ଲରମ୍ଭା ଆଇଆଇସି ବି.ବି.ନାୟକ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନାରାୟଣ ବରିହା, ସ୍ୱରୂପ ଘିଭେଲା, ଗୌରାଙ୍ଗ ପୋଢ଼ ଏବଂ କୃଷ୍ଣ ବରିହା ଓରଫ୍‌ ଝାଙ୍କରକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିଲେ । ତେବେ ଏହି ଘଟଣାରେ ଆହୁରି ତିନି ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଅନୁସଂଧାନରୁ ଜଣାପଡ଼ିବା ପରେ ଅଭିଯୁକ୍ତ କଲାରସିଂହ ମହାନନ୍ଦ, ଲକ୍ଷ୍ମଣ ମହାନନ୍ଦ ଓ ସତ୍ୟ ରାଉତକୁ ଚିଟ୍‌କାମାଲ୍‌ ଗାଁରୁ ଗିରଫ୍‌ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ହତ୍ୟାକାଣ୍ଡ ଘଟିଥିବା ଘଟଣା ଦିନ ଚିଟ୍‌କାମାଲ୍‌ ଗାଁରେ ନାରାୟଣ ବରିହା, ସ୍ୱରୂପ ଘିଭେଲା ତଥା ଅନ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସଭା ଡକାଯାଇ ଗାଁର ଚିନ୍ତାମଣି ବରିହା ଓ ତାଙ୍କ ପତ୍ନୀ ରୁକ୍ମଣୀ ବରିହା ଗୁଣି ଗାରେଡ଼ି କରି ଗ୍ରାମବାସୀଙ୍କ ଅନିଷ୍ଟ କରୁଥିବା ଭଳି ସଂଗୀନ ଅଭିଯୋଗ ଅଣାଯାଇଥିଲା । ଫଳସ୍ୱରୂପ ନାରାୟଣ ବରିହା, ସ୍ୱରୂପ ଘିଭେଲା, ଗୌରାଙ୍ଗ ପୋଢ଼, କୃଷ୍ଣ ବରିହା ଓରଫ୍‌ ଝାଙ୍କର, କଲାରସିଂହ ମହାନନ୍ଦ, ଲକ୍ଷ୍ମଣ ମହାନନ୍ଦ, ସତ୍ୟ ରାଉତ ଏବଂ ଅନ୍ୟ ଗ୍ରାମାବସୀମାନେ ମିଶି ଏହି ନିରୀହ ବୃଦ୍ଧ ଦମ୍ପତ୍ତିଙ୍କୁ ଅପମାନିତ କରିବା ସହ ଲାଠି, ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିଥିଲେ ଓ ଗାଁ ସ୍କୁଲ ନିକଟସ୍ଥ ଟ୍ୟୁବ୍‌ୱେଲ୍‌ ପାଖରେ ନୃଶଂସ ହତ୍ୟା କରିଥିଲେ । ହତ୍ୟା ପରେ କେତେକ ଅଭିଯୁକ୍ତ ପତିପତ୍ନୀଙ୍କ ମୃତଦେହକୁ ଚିତା ଡୁଙ୍ଗିରିରେ ଫିଙ୍ଗି ଦେଇଥିଲେ ।

jayashree
Leave A Reply

Your email address will not be published.