jayashree

ଅଚଳ ନଳକୂପକୁ ସଚଳ ଦର୍ଶାଇ ମରାମତି ଅର୍ଥ ଆତ୍ମସାତ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନଳକୂପଟି ଅଚଳ ଅବସ୍ଥାରେ ରହିଛି । ହେଲେ ବିଭାଗୀୟ କାଗଜପତ୍ରରେ ତାକୁ ମରାମତି କରାଯାଇ ସଚଳ ରହିଥିବା ଦର୍ଶାଯାଇଛି । ଗାଁ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣିବାକୁ ନାରାଜ । କୌଣସି କର୍ମଚାରୀ ଗ୍ରାମକୁ ଆସି ନ ଥିବା ବେଳେ ଅଦ୍ୟାବଧି ନଳକୂପଟି ଅଚଳ ଅବସ୍ଥାରେ ରହିଛି । ଆଉ ଅଚଳ ନଳକୂପକୁ ମରାମତି କରାଯାଇଥିବା ଦର୍ଶାଇ ସେ ବାବଦରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ପଞ୍ଚାୟତର ଉଛବପାଲି ଗ୍ରାମରୁ । ଗ୍ରାମର ମିର୍ଦ୍ଧାପଡ଼ାରେ ଗତ ୧୫ ଦିନ ହେବ ନଳକୂପଟି ଅଚଳ ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକେ ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ ନଳକୂପକୁ ମରାମତି କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଗତ ଦୁଇଦିନ ଗାଁ ଲୋକେ ଯେତେବେଳେ ଅଚଳ ନଳକୂପର ମରାମତି ସକାଶେ ପାନୀୟ ଜଳ ଓ ପରିମଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ନଳକୂପଟି ମରାମତି ହୋଇସାରିଥିବା ନେଇ ଆଶ୍ଚର୍ଯ୍ୟଜନକ ଉତ୍ତର ମିଳିଥିଲା । ଗାଁ ଲୋକେ ମଧ୍ୟ ଏକଥା ଶୁଣି ତାଜୁବ । ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗାଁକୁ କୌଣସି କର୍ମଚାରୀ ଆସି ନ ଥିବାବେଳେ ନଳକୂପଟି କିଭଳି ଓ କେବେ ମରାମତି କରାଗଲା, ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ କରାଯିବା ସକାଶେ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.