
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାମୀଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲେ ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ସଦର ଥାନାରେ । ଲୋଇସିଂହା ନିବାସୀ ଜ୍ୟୋତି ଅଗ୍ରୱାଲ ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ୨୦୨୨ ମଇ ୨୧ରେ ସେ ଦୁର୍ଘଟଣା ଗ୍ରସ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ପରେ ଶାରୀରିକ ସୁସ୍ଥତା ଆସିଥିଲେ ମଧ୍ୟ ଡାକ୍ତରଙ୍କ ଘୋଷଣା ମୁତାବକ ସେ ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ ତଥା ଶଯ୍ୟାଶାୟୀ ଅଛନ୍ତି । ଏଭଳି ଅବସ୍ଥା ପରେ ତାଙ୍କ ସ୍ୱାମୀ ଭାଗୀରଥ ଅଗ୍ରୱାଲା ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏପରିକି ଜାଣିଶୁଣି ତାଙ୍କୁ ଆବଶ୍ୟକ ଔଷଧ ଦେବା ବନ୍ଦ କରିବା ସହିତ ଜଣେ ଶଯ୍ୟାଶାୟୀ ରୋଗୀଙ୍କୁ ଦରକାର ଥିବା ଖାଦ୍ୟ ତଥା ଔଷଧ ଦେଇ ନଥିଲେ । ଶେଷରେ ଅନ୍ୟ କୌଣସି ବିକଳ୍ପ ନ ପାଇ ଜ୍ୟୋତି ନିଜ ବାପଘରକୁ ଯାଇ କୋର୍ଟର ଆଶ୍ରୟ ନେଇଥିଲେ । ଘରୋଇ ହିଂସା ତଥା ଭରଣପୋଷଣ ଖର୍ଚ୍ଚ ପ୍ରଦାନ କରିବା ପାଇଁ ସେ ବଲାଙ୍ଗିରସ୍ଥିତ ଏସ୍ଡିଜେଏମ୍ କୋର୍ଟରେ ମାମଲା ମଧ୍ୟ ଦାୟର କରିଥିବା ଜଣାଯାଇଛି । ତେବେ ତାଙ୍କ ବିନା ସହମତି ତଥା ଅଜାଣତରେ ତାଙ୍କର ପାନ୍ ନମ୍ବର ବ୍ୟବହାର କରି ବେଆଇନ ଭାବେ ତାଙ୍କ ନାମରେ ସ୍ୱାମୀ ଆୟକର ରିଟର୍ଣ୍ଣ ଦାଖଲ କରିଥିବା ଜ୍ୟୋତି ଅଭିଯୋଗ ଆଣିଛନ୍ତି । ଏପରିକି ସେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାଲିବାକୁ ସୁଦ୍ଧା ଅକ୍ଷମ ଥିବାବେଳେ ତାଙ୍କର କୌଣସି ଆୟର ପନ୍ଥା ନ ଥିବା ସେ ଜଣାଇଛନ୍ତି । ଏଭଳି ସ୍ଥିତିରେ ମାନ୍ୟବର ଅଦାଲତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କ ସ୍ୱାମୀ ଏଭଳି ଠକେଇ କାମ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ପୂର୍ବକ ସ୍ୱାମୀ ଭାଗୀରଥ ଅଗ୍ରୱାଲଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଜ୍ୟୋତି ଲୋଇସିଂହା ଥାନାର ଦ୍ଵାରସ୍ଥ ହୋଇଥିବା ଜଣାଯାଇଛି ।