jayashree

ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । କେତେବେଳେ କ୍ଷୀର ଜାର୍‌ରେ ତ ଆଉ କେତେବେଳେ ମକା ବସ୍ତାରେ ତ ଆଉ କେତେବେଳେ କପଡ଼ା ଗଣ୍ଠିଲି ଭିତରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ଚାଲାଣକାରୀ । ଆଜି ମଧ୍ୟ ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ କରିଥିଲେ ଗଞ୍ଜେଇ ମାଫିଆ, କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଡ଼ି ବସି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ଟାଉନ ପୋଲିସ । ଆଚାର ଜାର୍ ଭିତରେ ଆଲୁମିନିୟମ୍ କଣ୍ଟେନର ରଖି, ତା’ ଉପରେ ପତଳା ଆଚାର୍‌ ପରସ୍ତ ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରିଛି ବଲାଙ୍ଗିର ଟାଉନ୍ ପୋଲିସ । ଉଦୟନଗରରେ ଭଡ଼ାଘରେ ଗଞ୍ଜେଇ ରଖି ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ସୂଚନା ଆଧାରରେ ପୋଲିସ ଟିମ୍ ଚଢ଼ାଉ କରି ୩୭ କେଜି ୬୫୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲାର ବିପ୍ର ଚରଣ ରାୱଲ ଏବଂ ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁରୁଲ ଗାଁର ଶିବ ନାଏକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୫ଟି ଆଲୁମିନିୟମ୍ କଣ୍ଟେନର, ଗୋଟିଏ ଖାଲି ଆଚାର୍‌ ଜାର୍, ଆଚାର୍‌ ଭର୍ତ୍ତି ଗୋଟିଏ ସିଲ୍ ଜାର୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଗଞ୍ଜେଇର ଉତ୍ସ, ଗନ୍ତବ୍ୟସ୍ଥଳ ଓ ଚାଲାଣରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି । ଜବତ ଗଞ୍ଜେଇର ବଜାର ଦର ୨୦ ଲକ୍ଷ ଟଙ୍କା ହେବ ବୋଲି ସଦର ଏସ୍‌ଡ଼ିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.