
- ପାଣି, ବିଜୁଳି ଯୋଗାଣ ଓ ଶିକ୍ଷକ ଅଭାବକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ
- ଅଭାବି ବର୍ଷା ଓ ମରୁଡି ମୁକାବିଲା ପାଇଁ ଶୀଘ୍ର ପଦକ୍ଷେପ ନେଉ ପ୍ରଶାସନ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୁନ ମାସ ପ୍ରାୟ ସରିବାକୁ ଗଲାଣି, ମୌସୁମୀକୁ ଅପେକ୍ଷା କରି ଚାଷୀକୁଳ ହତାଶ । ଏପଟେ ପିଇବା ପାଣିରେ ଘୋର ସମସ୍ୟା, ବିଜୁଳି ଯୋଗାଣକୁ ନେଇ ମଧ୍ୟ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ ଲୋକଙ୍କ ଅସୁବିଧାକୁ କର୍ଣ୍ଣପାତ କରୁନାହାନ୍ତି । ହରଘର ନଲ୍, ଘରଘର ଜଲ୍ର ନାରା କେବଳ ଏକ ନାରାରେ ସୀମିତ ହୋଇରହିଛି । ବିଜୁଳି ସମସ୍ୟା ଯେଉଁ ଗାଁକୁ ଗଲେ ବି ଲୋକେ ଅଭିଯୋଗ କରୁଛନ୍ତି । ଏପଟେ ଚାଷୀ ଅଭାବି ବର୍ଷା ପାଇଁ ଚାଷ ଆରମ୍ଭ କରିପାରିନାହିଁ କିନ୍ତୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଆସନ୍ନ ମରୁଡି ପାଇଁ ନା ଜନପ୍ରତିନିଧି ନା ଜିଲ୍ଲା ପ୍ରଶାସନ, ଅଭାବି ବର୍ଷା ଓ ମରୁଡି ମୁକାବିଲା ପାଇଁ ପଦଟିଏ ମଧ୍ୟ ଆଲୋଚନା କଲେ ନାହିଁ ତେଣୁ ମୁଁ ଅନୁରୋଧ କରୁଛି ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଭାବି ବର୍ଷା ଏବଂ ଆସନ୍ନ ମରୁଡିରୁ ଚାଷୀ କେମିତି ମୁକୁଳିପାରିବେ ସେ ଦିଗରେ ଶୀଘ୍ର ବଲାଙ୍ଗିର ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ପଂଚାୟତର କୁବ୍ରିମହୁଲ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଜିଲ୍ଲା ପ୍ରଶାସନକୁ ଆହ୍ୱାନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ଷାକୁ ନେଇ ଚାଷୀ ଘୋର ସନ୍ଦେହରେ ଅଛି । ଜିଲ୍ଲା କୃଷି ବିଭାଗ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ଓ ପ୍ରତ୍ୟେକ ଗାଁକୁ ପରିଦର୍ଶନରେ ଆସନ୍ତୁ ଚାଷୀଙ୍କୁ ଭେଟନ୍ତୁ ଓ ଏହି ପରିସ୍ଥିତିରୁ ଚାଷୀ କିପରି ମୁକୁଳିବ ତାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଉପସ୍ଥିତ ଲୋକେ ବିଜୁଳି ଯୋଗାଣ ପାଇଁ ବ୍ୟବହାର ହୋଇଥିବା ପୁରୁଣା ଇଲେକ୍ଟ୍ରି ତାର ପରିବର୍ତ୍ତନ ପାଇଁ ଶ୍ରୀ ମିଶ୍ରଙ୍କ ଆଗରେ ଦାବି କରିଥିଲେ । ଗାଁରେ ଥିବା ଦେବୀ ବନ୍ଧ ପାଣି ବ୍ୟବହାର ଉପଯୋଗୀ ନୁହେଁ ତେଣୁ ଏହାର ପ୍ରତିକାର ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଲୋକେ ମହାମାରି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ମହିଳାମାନେ କ୍ଷୋଭର ସହ କହିଥିଲେ । ଗାଁ ସ୍କୁଲରେ ୮୫ ଜଣ ଶିକ୍ଷାର୍ଥୀ ଥିଲେ ହେଁ ସେହି ଅନୁପାତରେ ଶିକ୍ଷକ ନାହାନ୍ତି । ସୋଲାର ମାଧ୍ୟମରେ ଜଳଯୋଗାଣ ପାଇଁ ପ୍ଲାର୍ଟଫର୍ମ ତିଆରି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇପାରିନାହିଁ । ବୃଦ୍ଧାବୃଦ୍ଧଙ୍କୁ ବ୍ୟାଙ୍କ ଯାଇ ପେନସନ ଆଣିବା ପାଇଁ ଘୋର ସମସ୍ୟା ହେଉଛି । ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ହେଁ ଆବାସ ଗୃହ କାହାକୁ ମିଳୁନାହିଁ । ଏହି ଅଂଚଳରେ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏସବୁ ଅଭିଯୋଗ ଶୁଣିଲା ପରେ ଶ୍ରୀ ମିଶ୍ର ସମସ୍ୟା ସମ୍ପର୍କିତ ବିଭାଗୀୟ ଅଧିକାରୀମାନଙ୍କ ସହିତ କଥା ହୋଇ ଏ ସବୁର ତୁରନ୍ତ ସମାଧାନର ପ୍ରତିଶୃତି ଦେଇଥିଲେ । ତା’ସହ ସେ ଏହା ମଧ୍ୟ କହିଥିଲେ ଯେ, ଯଦି ସମସ୍ୟାର ସମାଧାନ ଶୀଘ୍ର ନ ହୁଏ ତେବେ ଲୋକେ ନିଶ୍ଚିତ ଭାବରେ ଆନ୍ଦୋଳନ ମୁହାଁ ହେବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ଅଭିଯୋଗ ଶୁଣାଣି ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାମଜୀ ଚୌଧୁରୀ, ଅସୀତ ମିଶ୍ର, ଯୋଗେଶ୍ୱର ସାହୁ, ସଂକାର୍ତ୍ତନ ବାଗ, ସମିତି ସଭ୍ୟ ଭକ୍ତ ଧରୁଆ, ଶୁକ୍ରୁ ବାବୁ, ସଂଜୟ ପଟେଲ, ଲକ୍ଷଣ ବାଗ, ଗୁଲାପ ବଢିଆ, ଟିଙ୍କୁ ପଟେଲଙ୍କ ସମେତ ସହସ୍ରାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।
