
ବଲାଙ୍ଗିର, (କେପିଏନ୍ଏସ୍) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୁଇଁତଲା ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାମୂଳକ ମୋଟ ୪୨ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୦୭ ଗୋଟି ସାମୂହିକ ଦରଖାସ୍ତ ଦାଖଲ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମର ସଂଜୀବ କୁମାର ସାହୁ ଓ ସବ୍ୟା ସାହୁଙ୍କୁ ଏବଂ ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି, ବୁଦୁଲା ଗ୍ରାମର ହେମନ୍ତ କୁମାର ପଟେଲ ଓ ଶୁଶିଳା ପଟେଲଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ମଧୁବାବୁ ପେନସନ ଯୋଜନା ଜରିଆରେ ୨ ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ମଞ୍ଜୁର କରାଯାଇଥିଲା । ସେହିପରି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ତୁଲଣ୍ଡି ଗ୍ରାମର ଭାଗ୍ୟସିନୀ ମିଶ୍ର ଓ ଆଗଲପୁର ବ୍ଲକ ଅନ୍ତର୍ଗତ ହଳଦୀପଦର, ବୁଦୁଳା ଗ୍ରାମର ସତ୍ୟବତୀ ନାଗଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।