pakka

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା : ଟେଣ୍ଟ ମାଲିକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଖରସେଲପଡ଼ାରେ ଏକ ବିବାହ ଭୋଜି ଖାଇ ଯାଇଥିବା ବେଳେ ଶନିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣକ ଦେଓଗାଁ ବ୍ଲକ୍‌ ବହଲି ଗାଁର ଗୋକୁଳ ସାହୁ(୩୫) ବୋଲି ଜଣାପଡ଼ିଛି । ଖରସେଲପଡ଼ାର କ୍ଷମା ସାହୁଙ୍କ ଝିଅ ବାହାଘରରେ ଶାନ୍ତିପଡ଼ାର କୁମାର ଟେଣ୍ଟ ଓ ଲାଇଟ ଲଗାଯାଇଥିଲା । ଟେଣ୍ଟ ଓ ଲାଇଟ ମାଲିକଙ୍କ ଅବହେଲାରୁ ଗୋକୁଳଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗୋକୁଳ ଜଣେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ନିମନ୍ତ୍ରଣ ପାଇ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ଆଉ ଘରକୁ ଫେରିନଥିଲେ । ଘରେ ଗର୍ଭବତୀ ସ୍ତ୍ରୀ ଓ ଚାରି ବର୍ଷର ଝିଅ ବାପାକୁ ଅପେକ୍ଷା କରିଥିଲେ । ପରେ ଖରବ ପାଇଥିଲେ ବିଦ୍ୟୁତ ଆଘାତରେ ଗୋକୁଳଙ୍କ ଜୀବନ ଚାଳିଯାଇଛି । ରାତିରେ ପୂରା ପରିବାର ଲୋକ ହସପିଟାଲ‌ ପହଞ୍ଚି ଥିଲେ । ସ୍ତ୍ରୀ, ଚାରି ବର୍ଷର ଝିଅ, ବାପା, ମା’ଙ୍କ କାନ୍ଦ ବୋବାଲିରେ ହସପିଟାଲ ଫାଟି ପଡ଼ୁଥିଲା । ସୂଚନା ଅନୁସାରେ ଲୁହା ଖୁଣ୍ଟରେ ଏକ ହେଲୋଜେନ ଲାଇଟ ଲଗାଯାଇଥିଲା । ସେହି ଲାଇଟରୁ ସର୍ଟ ସର୍କିଟ ହୋଇ କରେଣ୍ଟ ଲାଗିଥିବା ଅନୁମାନ କରାଯାଉଛି । ଟାଉନ ପୁଲିସ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଜାରି ରଖିଛି । ଜଣେ ଗରିବ ପରିବାର ହୋଇଥିବାରୁ ଗର୍ଭବତୀ ସ୍ତ୍ରୀ ଓ ଚାରି ବର୍ଷର ଝିଅ ପାଇଁ ସରକାରଙ୍କୁ କିଛି ସାହାଯ୍ୟ ଭିକ୍ଷା କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.

19 − 14 =