ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଅଭିଯୋଗ : କାମ କରିନଥିବା ଶ୍ରମିକଙ୍କୁ ମିଳୁଛି ମଜୁରୀ

  • ସୂଚନା ଫଳକ ନାହିଁ, ୭୨ ଜଣ ସ୍ଥାନରେ ୧୫୦ ଜଣ ଶ୍ରମିକ କାମ କରିଥିବା ନେଇ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ମିଳିନଥିବା ବେଳେ କାମ କରିନଥିବା ଲୋକଙ୍କ ଖାତାକୁ ମଜୁରୀ ପୈଠ ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି । କେନାଲ ଖନନ କାମକୁ ଅଧାପନ୍ତରିଆ ଭାବେ ଶେଷ କରାଯାଇଥିବା ବେଳେ ଶ୍ରମିକମାନେ କାମ ପାଉନଥିବା ନେଇ ଶ୍ରମିକମାନେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ସର୍ଗିପାଲି ଗ୍ରାମର ଗୋଲାମୁଣ୍ଡା ଉପର ଡ୍ୟାମରୁ ବାନ୍ଧନବାହାଲି କେନାଲ ଖନନ କାର୍ଯ୍ୟ ଚାଲିଥିଲା ବେଳେ ଏହି କାର୍ଯ୍ୟକୁ ଅଧାରୁ ବନ୍ଦ କରି ଦିଆଯାଇଛି । ଏହି ଖନନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ୧୨ ଦିନ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ସମ୍ପୂର୍ଣ୍ଣ ମଜୁରୀ ଦିଆଯାଇ ନାହିଁ । ସେହିପରି ୭୨ ଜଣ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ୧୫୦ ଜଣ ଶ୍ରମିକ କାର୍ଯ୍ୟ କରିଥିବା ନେଇ ରେକର୍ଡରେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଯେଉଁମାନେ କାମ କରିନାହାନ୍ତି ସେମାନଙ୍କ ଏକାଉଣ୍ଟରେ ହଜାର ହଜାର ଟଙ୍କା ମଜୁରୀ ବାବଦରେ ପୈଠ ହୋଇଥିବା ନେଇ ଗ୍ରାମବାସୀ ସଂଗୀନ ଅଭିଯୋଗ ଆଣିବା ସହିତ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କାର୍ଯ୍ୟ ପାଇଁ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସେତିକି ଟଙ୍କାର କାମ ହୋଇନଥିବା ସହିତ ନିମ୍ନ ମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଏହି ନିର୍ମାଣ କାର୍ଯ୍ୟ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ସୂଚନା ଫଳକ ରଖାଯାଇ ନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଗ୍ରାମର ଚାଷୀ ଯଦୁମଣି ସରାଫଙ୍କ ରଏତି ଜମିରେ ଏହି କେନାଲ ଖୋଲାଯାଇଥିବା ବେଳେ ଏହି କାମ ସମ୍ପୂର୍ଣ୍ଣ କରିବାକୁ ସେ ଦାବୀ କରିଛନ୍ତି । ସମ୍ପୃକ୍ତ ଶ୍ରମିକମାନେ ଆଜି ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟକୁ ଆସି ଦୀର୍ଘ ସମୟ ଧରି ବିଡିଓଙ୍କୁ ସାକ୍ଷାତ କରିବା ପାଇଁ ଜିଦ୍‌ କରି ବସିଥିଲେ । ବିଡିଓ ରଶ୍ମିରଞ୍ଜନ ରାଉତ ଫିଲ୍‌ଡ ଟୁରରୁ ଫେରିବା ପରେ ଅପେକ୍ଷାରତ ଶ୍ରମିକମାନେ ତାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଗ୍ରାମର ଯଦୁମଣି ସରାଫଙ୍କ ସହିତ କୁମର ପଟେଲ, ଜଗନ୍ନାଥ ଖାଡିଆ, ଭରତ ବାଗ, ବେଲାର ସିଂ ଖାଡିଆ, ଅନୁଛ ଛତ୍ରିଆ, ସୁରେନ୍ଦ୍ର ବରିହା, ପଦ୍ମଲୋଚନ ବରିହା, ତୁଳସିରାମ ମାଝୀ, ବାଳମୁକୁନ୍ଦ ଛତ୍ରିଆଙ୍କ ସମେତ ପ୍ରାୟ ୫୦ ଜଣ ଶ୍ରମିକ ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟର ଅନିୟମିତତା ନେଇ ଅଭିଯୋଗ କରିଥିଲେ । ରାମେଶ୍ୱର ମାଝୀ ୧୨ ଦିନ କାମ କରି ୨୬୦୦ ଟଙ୍କା ପାଇଥିବା କହିଥିବା ବେଳେ ବାଳମୁକୁନ୍ଦ ଛତ୍ରିଆ ୧୨ ଦିନ କାମ କରି ମାତ୍ର ୮୦୦ ଟଙ୍କା ମଜୁରୀ ପାଇଥିବା ନେଇ କହିଥିଲେ । ଆସିଥିବା ଶ୍ରମିକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ମଜୁରୀ ମିଳିନଥିବା ନେଇ ଅଭିଯୋଗ କରିଥିଲେ । ଏହି ଅନିୟମିତତା କାର୍ଯ୍ୟ ପାଇଁ ଶ୍ରମିକମାନେ ଗ୍ରାମସାଥୀକୁ ମୁଖ୍ୟଦାୟୀ କରିଥିବା ବେଳେ ଜିଆର୍‌ଏସ୍‌ ଏବଂ ସରପଂଚ ମଧ୍ୟ ଏହି କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଅସମ୍ପୂର୍ଣ୍ଣ କେନାଲ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହିତ ଶ୍ରମିକମାନଙ୍କୁ ସେମାନଙ୍କ ବକେୟା ପାଉଣା ଦେବାକୁ ବିଡିଓଙ୍କ ନିକଟରେ ଦାବୀ କରିଥିଲେ । ଏଥି ସହିତ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

2 × 4 =