pakka

ରାମଚନ୍ଦ୍ରପୁର ଗ୍ରାମର ବିଏସ୍‌ଏସ୍‌ଏଲ୍‌ ୨ଜି ମୋବାଇଲ ନେଟୱର୍କ ଦୀର୍ଘ ୭ ଦିନ ହେଲା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବିଏସ୍‌ଏସ୍‌ଏଲ୍‌ ୨ଜି ମୋବାଇଲ ନେଟୱର୍କ ଦୀର୍ଘ ୭ ଦିନ ହେଲା ସମ୍ପୂର୍ଣ୍ଣ ଭାବରେ ଫେଲ ରହିଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ କଲ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ଅସନ୍ତୋଷ ପ୍ରକାଶ ପାଉଛି । ଅଭିଯୋଗ ଅନୁସାରେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ ଅଛି ସେମାନେ ମଧ୍ୟ କେବଳ ଇଣ୍ଟରନେଟ ସେବାକୁ ଉପଭୋଗ କରିପାରୁଛନ୍ତି କିନ୍ତୁ ତାଙ୍କ ମୋବାଇଲରୁ ନା କଲ ଯାଉଛି ନା ତାଙ୍କ ମୋବାଇଲକୁ କଲ ଆସୁଛି । କିପେଡ ମୋବାଇଲ ବ୍ୟବହାରକାରୀଙ୍କ ଦୁଃଖ କହିଲେ ନ ସରେ । ସେମାନଙ୍କ ମୋବାଇଲରେ ନେଟୱର୍କ ହିଁ ଆସୁ ନାହିଁ ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ପାଉଛି । ତେବେ ଏଠାରେ ବିଏସ୍‌ଏନ୍‌ଏଲ୍‌ ବ୍ୟତୀତ ଅନ୍ୟ କୌଣସି ନେଟୱର୍କ ଉପଲବ୍ଧ ନ ଥିବାରୁ କୌଣସି ବିକଳ୍ପ ପନ୍ଥା ମଧ୍ୟ ଅବଲମ୍ବନ କରିପାରୁ ନାହାନ୍ତି । ବଲାଙ୍ଗିର ବିଏସ୍‌ଏନ୍‌ଏଲ୍‌ ଅଫିସରେ ଏ ବିଷୟରେ ଜଣେଇଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ସମସ୍ୟା ରାମଚନ୍ଦ୍ରପୁର ଗ୍ରାମ ପାଇଁ କିଛି ନୂଆ ସମସ୍ୟା ନୁହେଁ । ମାସକୁ ଅତି କମରେ ୧୦-୧୫ ଦିନ ଏଠି ମୋବାଇଲ ନେଟୱର୍କ ଫେଲ ମାରିଥାଏ । ଅଞ୍ଚଳବାସୀ ଅଭିଯୋଗ କରି କରି ଥକି ଗଲେଣି । କିନ୍ତୁ ସମସ୍ୟାର ସମାଧାନ ପାଇଁ ଅତୀତରେ କେହି ତତ୍ପରତା ଦେଖେଇ ନାହାନ୍ତି କି ଆଜି ମଧ୍ୟ ତତ୍ପରତା ଦେଖାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଠି ବାରମ୍ବାର ଲାଗି ରହିଥିବା ସମସ୍ୟା ଯୋଗୁଁ ଜିଓ, ଏୟାରଟେଲ କିମ୍ବା ଅନ୍ୟ କୌଣସି କମ୍ପାନୀର ମୋବାଇଲ ଟାୱାର ସ୍ଥାପନ କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରୁଛନ୍ତି । ତେବେ ଗ୍ରାମରେ ଜିଓର ଏକ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ କିଛି ଯୁବକ ଦୀର୍ଘ ଦିନରୁ ଚେଷ୍ଟା ଚଳେଇଛନ୍ତି ଓ ଅନେକ ଥର ଜିଓ ଅଫିସକୁ ଯାଇ ଯୋଗାଯୋଗ କରି ଏ ବିଷୟରେ ଜଣେଇଛନ୍ତି । କିନ୍ତୁ ଏ କ୍ଷେତ୍ରରେ ବାରମ୍ବାର ଅଫିସକୁ ଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ଓ ଏଥିଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି । ବାରମ୍ବାର ଏଭଳି ମୋବାଇଲ ନେଟୱର୍କ ଫେଲ ମାରିବା ଯୋଗୁଁ ରାମଚନ୍ଦ୍ରପୁର ସମେତ ଆଖପାଖର ୮-୧୦ ଟି ଗ୍ରାମର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି ।

Leave A Reply

Your email address will not be published.

nineteen − sixteen =