
- ଫସଲ ନଷ୍ଟକୁ ନେଇ ତାତିଲେ ଚାଷୀ, ଜିଲ୍ଲାପାଳଙ୍କୁ ଦାବିପତ୍ର
- ଖଳାରେ ଗଜା ହେଲା ଧାନ, ପ୍ରଶାସନର ନିଦ ଭାଙ୍ଗୁନି
ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷୀଙ୍କ ବର୍ଷକର ଆହାର । ଅମଳ ସମୟରେ ପ୍ରକୃତିର ଦାଉ ଯୋଗୁଁ ବିଲ ଓ ଖଳାରେ ପଡ଼ିଥିବା ସୁନା ଫସଲ ଏବେ ଗଜା ହୋଇ ନଷ୍ଟ ହେବାକୁ ବସିଛି । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି ବିକଳ ଚିତ୍ର । ସେପଟେ ପ୍ରଶାସନିକ ଅବହେଳା ଅଭିଯୋଗ ପରେ ଏବେ ଚାଷୀଙ୍କ ପାଇଁ ଅଣ୍ଟା ଭିଡ଼ିଛି ବରିଷ୍ଠ ନାଗରିକ ସଂଘ । ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଥିଲା ସୁନା ଫସଲ । ହେଲେ ଅମଳ ବେଳକୁ ସବୁକିଛି ଛାରଖାର କରିଦେଲା ଅଦିନିଆ ବର୍ଷା ଓ କୁଆପଥର ମାଡ଼ । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକରେ ଦେଖିବାକୁ ମିଳିଛି ପ୍ରକୃତିର ଏଭଳି ତାଣ୍ଡବ । ଗତ କିଛି ଦିନ ହେବ ହୋଇଥିବା ଅକସ୍ମାତ ବର୍ଷା ଯୋଗୁଁ ବିଲରେ କଟା ହୋଇ ପଡ଼ିଥିବା ଧାନ ଏବଂ ଖଳାରେ ଗଦା ହୋଇଥିବା ଅମଳ ଧାନ ପାଣିରେ ଭିଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷା ପାଣି ଜମି ରହିବା ଫଳରେ ଏବେ ଧାନ କେଣ୍ଡାରୁ ଗଜା ବାହାରି ଗଲାଣି । ବର୍ଷକର ଦାନା ହରାଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅଞ୍ଚଳର ଶହ ଶହ ଚାଷୀ । ଫସଲ ଉଜୁଡ଼ି ଯିବା ପରେ ଚାଷୀମାନେ ଏନେଇ ପାଇକମାଳ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏଥିସହ ବୀମା କମ୍ପାନୀକୁ ମଧ୍ୟ ଫୋନ୍ ଯୋଗେ ଅବଗତ କରାଯାଇଥିଲା । ହେଲେ ଦୁଃଖର ବିଷୟ, ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ କୃଷି ବିଭାଗ କିମ୍ବା ରାଜସ୍ୱ ବିଭାଗର କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିନାହାନ୍ତି କି କ୍ଷୟକ୍ଷତିର ଆକଳନ ହୋଇନାହିଁ । ପ୍ରଶାସନର ଏଭଳି ଉଦାସୀନତା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଚାଷୀଙ୍କ ଏହି ଅସହାୟ ଅବସ୍ଥା ଦେଖି ଏବେ ସାମ୍ନାକୁ ଆସିଛି ପାଇକମାଳ ବ୍ଲକ ବରିଷ୍ଠ ନାଗରିକ ସଂଘ । ସଂଘର ସଭାପତି ବଳରାମ ସାହୁ ଓ ସଂପାଦକ ହାଡ଼ୁ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଦିଆଯାଇଛି । ତୁରନ୍ତ କ୍ଷୟକ୍ଷତିର ସଠିକ୍ ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଏବଂ ବୀମା ରାଶି ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦୃଢ଼ ଦାବି ହୋଇଛି । ପ୍ରକୃତିର ଦାଉ ସାଙ୍ଗକୁ ପ୍ରଶାସନିକ ଅବହେଳା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେବେ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦିଆଯିବା ପରେ ପ୍ରଶାସନ କେବେ ଚାଷୀଙ୍କ ଗୁହାରି ଶୁଣୁଛି ଏବଂ କ୍ଷତିଗ୍ରସ୍ତଙ୍କୁ କେବେ ଉଚିତ୍ କ୍ଷତିପୂରଣ ମିଳୁଛି, ତାହା ଏବେ ଦେଖିବାକୁ ବାକି ରହିଲା ।