ଲୋଇସିଂହା ଥାନାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଅନେକ ନିରୀହ ଲୋକ ଏହି ଠକେଇର ଶିକାର ହେବା ସହିତ ସାମାନ୍ୟ ଭୁଲ ପାଇଁ ଆକଉଣ୍ଟରୁ ଆଖି ପିଛୁଲାକେ ଟଙ୍କା ଗାୟବ ହୋଇଯାଉଛି । ଆଉ କାହାର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇ ବ୍ଲାକମେଲିଂର ଶିକାର ହେବାକୁ ପଡ଼ୁଛି । ଏଭଳି ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ସଚେତନତା ଉଦ୍ଦେଶ୍ୟରେ ବଲାଙ୍ଗିର ସାଇବର ପୋଲିସ ପକ୍ଷରୁ ଲୋଇସିଂହା ଥାନା ପରିସରରେ ଏକ ସାଇବର ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି । ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଆଚାର୍ଯ୍ୟ ଶିବ ବାରିକ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷିତ ରହିବାର ମୁଖ୍ୟ ଉପାୟ, କେହି ସାଇବର ଠକେଇର ଶିକାର ହେଲେ ୧୯୩୦କୁ ଡ଼ାଏଲ୍ କରିବାକୁ ସାଇବର ଥାନା ଇନ୍ସପେକ୍ଟର ଭାରତୀ ନାଏକ ଲୋକଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ, ଆଇନଜୀବୀ ଦିଲୀପ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ କାହ୍ନୁଚରଣ ଦର୍ଜି ପ୍ରମୁଖ ସାଇବର ସଚେତନତା ଉପରେ ସ୍ଵକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଇନ୍ସପେକ୍ଟର ଶ୍ରୀମତୀ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.