
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ‘ସ୍ୱଚ୍ଛତା ପକ୍ଷ’ ପାଳନ ଅବସରରେ ଏକ ସୁନ୍ଦର ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଯୁବ ରେଡ଼୍କ୍ରସ୍, ଏନ୍.ଏସ୍.ଏସ୍. ଏବଂ ଇକୋ କ୍ଲବର ମିଳିତ ଆନୁକୂଲ୍ୟରେ ପ୍ରଥମେ ସମଗ୍ର ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା । ଏହା ପରେ ନବ ନିର୍ମିତ ଛାତ୍ରାବାସ ପରିସରରେ ବିଭିନ୍ନ ଫଳ ଓ ଛାୟାପ୍ରଦ ବୃକ୍ଷରୋପଣ କରାଯାଇ ସବୁଜିମାର ସନ୍ଦେଶ ଦିଆଯାଇଥିଲା । ଏହି ଗ୍ରହଣୀୟ କାର୍ଯ୍ୟରେ ସମସ୍ତ ୟୁନିଟର ସ୍ୱେଚ୍ଛାସେବୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ନିଜକୁ ସମ୍ପୂର୍ଣ୍ଣ ସାମିଲ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିବେଶ ସୁରକ୍ଷା ପାଇଁ ଏହିପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବହୁତ ପ୍ରଶଂସା କରାଯାଉଛି ।