ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ୱାର୍ଡମେମ୍ବରଙ୍କ ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ସହାୟତା ପାଇଁ ସାଧାରଣରେ ଦାବୀ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଡୁଙ୍ଗୁରିପାଲି ପଞ୍ଚାୟତ ୱାର୍ଡମେମ୍ବର ଲାଲୁ ମାଝୀ (୪୫) ନିଜେ ମିସ୍ତ୍ରୀ ହୋଇଥିବା ବେଳେ ନିଜ ଘର କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଘଟଣା ଖବର ପାଇଁ ସଇଁତଲା ପୋଲିସ ପହଂଚି ଶବକୁ ଜବତ କରି ଥାନା କେସ ନଂ ୦୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗିର ମେଡିକାଲକୁ ପଠାଇବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପ୍ରକାଶ ଯେ, ଗତ ୯ ତାରିଖ ଦିନ ଅପରାହ୍ନ ସମୟରେ ୱାର୍ଡମେମ୍ବର ଶ୍ରୀ ମାଝୀଙ୍କ ନିଜ ଘର ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ବାରମ୍ବାର ବିଦ୍ୟୁତ ବିଭାଗର ଏସ୍ଡିଓ ଓ ବେଲଗାଁ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ଲୋକ ପ୍ରତିନିଧିଙ୍କ ଜୀବନ ଚାଲିଗଲା । ସେ ନିଜ ଘର ଉପରକୁ ଯାଇ ଛାତ ପାଇଁ ରଡ଼ ବାନ୍ଧୁଥିଲେ । ହଠାତ ଉପରକୁ ଉଠାଇ ଦେବା ଫଳରେ ଘର ଛାତ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ପଡି ଯାଇଥିଲେ । ଏହାପରେ ପରିବାର ଲୋକେ ଉଦ୍ଧାର କରି ସଇଁତଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମେମ୍ବର ଶ୍ରୀ ମାଝୀ ତାଙ୍କ ଘର ଉପରେ ବିଦ୍ୟୁତ ତାର ଯାଇଥିବାରୁ ତାର ହଟାଇ କେବୁଲ ଲଗାଇବା ପାଇଁ ବାରମ୍ବାର ବିଦ୍ୟୁତ ବିଭାଗକୁ ଜଣାଇ ଆସୁଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ତାର ବଦଳାଇ ନ ଥିଲେ । ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ମଧ୍ୟ ଅଭିଯୋଗ କରିଛନ୍ତି । ସ୍ୱର୍ଗତ ମାଝୀଙ୍କ ବିଧବା ପତ୍ନୀ ସହ ୬ ମାସ ଶିଶୁ ପୁତ୍ର ଟିଏ ଅଛନ୍ତି । ଉକ୍ତ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ତରଫରୁ ଦାବୀ ହୋଇଛି ।