csstore

ଆମେରିକା ଓ ୟୁରୋପରେ ବ୍ୟାଙ୍କ ବ୍ୟବସ୍ଥାରେ ଦେଖାଦେଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

  • ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ନିର୍ଦ୍ଧାରିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀର ଉପଯୁକ୍ତ ପରିପାଳନ ସହିତ ନିୟାମକ ବ୍ୟବସ୍ଥା, ବିପଦ ପରିଚାଳନା (ରିସ୍କ ମ୍ୟାନେଜମେଣ୍ଟ), ଡିପୋଜିଟ୍ ଡାଇଭରସିଫିକସେନ ଓ ସମ୍ପତ୍ତି ଭିତ୍ତି ଉପରେ ଗୁରୁତ୍ୱ ପ୍ରଦାନ

ନୂଆଦିଲ୍ଲୀ, (ପିଆଇବି) : ଆମେରିକା ଓ ୟୁରୋପର କେତେକ ଆନ୍ତର୍ଜାତିକ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି, ବିଭିନ୍ନ ପଦକ୍ଷେପ, ସେମାନଙ୍କର କାରବାର ଓ ବ୍ୟାବସାୟିକ ସ୍ଥିତି, ପ୍ରଶାସନିକ ଓ ନିୟାମକ ବ୍ୟବସ୍ଥାର ଅନୁପାଳନ ଆଦି ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି ।

ସମୀକ୍ଷା ଅବସରରେ ଅର୍ଥମନ୍ତ୍ରୀ ସମ୍ପୃକ୍ତ ବ୍ୟାଙ୍କ ସମୂହର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦିଙ୍କ ସହିତ ବିଦେଶରେ କେତେକ ପ୍ରମୁଖ ବ୍ୟାଙ୍କର ଖରାପ ଆର୍ଥିକ ସ୍ଥିତି ଓ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପଚାରି ବୁଝିଥିଲେ । ବିଶେଷକରି ଆମେରିକାର ସିଲିକନ୍ ର‌୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଭଳି ପ୍ରତିଷ୍ଠିତ ବ୍ୟାଙ୍କରେ ଯେଉ ଗୁରୁତର ଆର୍ଥିକ ସଙ୍କଟ ଏବଂ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ତାହା ପ୍ରଭାବିତ କରିବ କି ନାହିଁ ତାହା ସେ ଜାଣିବାକୁ ଚାହିଁଥିଲେ । ଆହୁରି ମଧ୍ୟ ବାହ୍ୟ ବ୍ୟାଙ୍କ ବ୍ୟବସ୍ଥାରେ ଯେଉଁ ସଙ୍କଟ ଦେଖାଦେଇଛି ତାହାର ସମ୍ଭାବ୍ୟ ପ୍ରଭାବରୁ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସେ ବୁଝିଥିଲେ ।

ଏହାଛଡା କ୍ରେଡିଟ୍ ସୁଇସ ସମ୍ପର୍କରେ ପ୍ରଭାବ ଭାରତୀୟ ବିତ୍ତୀୟ ଓ ନିବେଶ ବଜାରକୁ କେତେ ପରିମାଣରେ ପ୍ରଭାବିତ କରିବ ତାହା ମଧ୍ୟ ସେ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ ଯେ ଆମେରିକା ଓ ୟୁରୋପର ପ୍ରମୁଖ ଆନ୍ତର୍ଜାତିକ ବ୍ୟାଙ୍କରେ ସଙ୍କଟ ସୃଷ୍ଟି ହେବା ପରେ କ୍ରେଡିଟ୍ ସୁଇସ୍ ଉପରେ ଏହାର ପ୍ରଭାବ ପଡିଛି । କ୍ରେଡିଟ୍ ସୁଇସ୍ ବା ସୁଇସ୍ କ୍ରେଡିଟ ଏକ ବୈଶ୍ୱିକ ନିବେଶ ଓ ଆର୍ଥିକ ସେବା ପ୍ରଦାନକାରୀ ଫାର୍ମ ଯାହା ସୁଇଜରଲାଣ୍ଡରେ ପ୍ରତିଷ୍ଠିତ ଓ ସେଠାରେ କାର୍ଯ୍ୟରତ । ଏହା ଘରୋଇ ବ୍ୟାଙ୍କିଂ, ନିବେଶ ବ୍ୟାଙ୍କିଂ, ଆସେଟ୍ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ବିଶ୍ୱବ୍ୟାପୀ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ତଥା ବିତ୍ତୀୟ ଅନୁଷ୍ଠାନକୁ ବିଶେଷଜ୍ଞ ସେବା ଯୋଗାଇଥାଏ । ଏଭଳି ସଙ୍କଟର ଉଭୟ ସ୍ୱଳ୍ପ ଓ ଦୀର୍ଘମିଆଦି ମୁକାବିଲା ସମ୍ପର୍କରେ ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଗ୍ରହଣ କରିଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଅର୍ଥମନ୍ତ୍ରୀ ଅବଗତ ହୋଇଛନ୍ତି ।

ଏହି ସମୀକ୍ଷା ବୈଠକ ଅବସରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମନ ସବୁ ପ୍ରକାର ଆଗୁଆ ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ୱ ଦେବା ସହିତ ଆମ ବ୍ୟାଙ୍କ ସମୂହର ନିୟନ୍ତ୍ରଣ ଓ ନିୟାମକ ବ୍ୟବସ୍ଥାର ଉପଯୁକ୍ତ ଅନୁପାଳନ ଉପରେ ଅଗ୍ରାଧିକାର ଦେଇଥିଲେ । ସେ କହିଥିଲେ ଯେ ଏଭଳି ସଙ୍କଟ ସମୟରେ ରିସ୍କ ମ୍ୟାନେଜମେଣ୍ଟ, ଜମାର ପରିବର୍ତ୍ତନ ଡାଇଭର୍ସଫିକେସନ ଓ ଆସେଟ୍ ବେସ୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ ।

ସେ ଆହୁରି କହିଥିଲେ ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ବ୍ୟାବସାୟିକ ନୀତି ଓ ଆଦର୍ଶକୁ ନିର୍ଭୁଲଭାବେ ପାଳନ କରିବା ସହିତ ଯେଉଁଠି କ୍ଷତି ବା ଆର୍ଥିକ ଚାପର ଆଶଙ୍କା ରହିଛି ତାକୁ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ସେହିଭଳି ପ୍ରତିକୂଳ ପ୍ରଦର୍ଶନ ଓ ଗୋଟିଏ ସ୍ଥାନରେ ପୁଞ୍ଜିକୁ ଗଚ୍ଛିତ କରି ନ ରଖିବାକୁ ସେ ପରାମର୍ଶ ଦେଇଥିଲେ ।

ସଂପ୍ରତି ବିଶ୍ୱରେ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ଏକ ସୁଯୋଗ ଭାବେ ବ୍ୟବହାର କରି ଭାରତର ବ୍ୟାଙ୍କ ବ୍ୟବସ୍ଥାର ସଙ୍କଟ ପରିଚାଳନା ଓ ଯୋଗାଯୋଗ ରଣନୀତି ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ କରଡ, ବିତ୍ତୀୟ ଓ ସେବା ବିଭାଗ ସଚିବ ଡକ୍ଟର ବିବେକ ଜୋଶୀ, ବିଭିନ୍ନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ ପରିଚାଳକମାନେ ଯୋଗଦେଇଥିଲେ ।

ସମ୍ପୃକ୍ତ ବ୍ୟାଙ୍କ ସମୂହର ଏମ୍ଡି ଓ ସିଇଓମାନେ ଅର୍ଥମନ୍ତ୍ରୀଙ୍କୁ ସେମାନେ ସାମ୍ପ୍ରତିକ ପରିସ୍ଥିତିରେ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ସମ୍ପର୍କରେ ବୁଝାଇ କହିଥିଲେ । ଏବେ ଶ୍ରେଷ୍ଠ କର୍ପୋରେଟ ପ୍ରଶାସନ ନୀତିକୁ କାର୍ଯ୍ୟକାରୀ କରାଯାଉଛି ଓ ବ୍ୟବସ୍ଥା ତଥା ନିୟନ୍ତ୍ରଣକାରୀ ନୀତିନିୟମ ସବୁ ପାଳନ ହେଉଛି । ନଗଦ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ନୀତି ଅବଲମ୍ବନ କରାଯାଉଛି । ଏହାଛଡା ଏକ ଦୃଢ ଆସେଟ-ଲାଏବିଲିଟି ଓ ରିସ୍କ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ବିଶେଷ ବିପଦ ନାହିଁ ବୋଲି ସେମାନେ ଅର୍ଥମନ୍ତ୍ରୀଙ୍କୁ ବୁଝାଇ ଦେଇଥିଲେ । ସେମାନେ ଆହୁରି କହିଥିଲେ ଯେ ସାଂପ୍ରତିକ ବିଶ୍ୱ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରହିଛି ଏବଂ ଯେ କୌଣସି ସମ୍ଭାବ୍ୟ ଆର୍ଥିକ ଧକ୍ମାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶର ବ୍ୟାଙ୍କ ବ୍ୟବସ୍ଥାର ସମସ୍ତ ବୃହତ ଆର୍ଥିକ ମାପକ ସ୍ଥିର ଅଛି ଏବଂ ବ୍ୟାଙ୍କର ଆର୍ଥିକ ଅବସ୍ଥା ସୁସ୍ଥ ରହିଛି ।

ବ୍ୟାପକ ବିଚାର ଆଲୋଚନା ପରେ ଅର୍ଥମନ୍ତ୍ରୀ ରାଷ୍ଟ୍ରାୟ ବ୍ୟାଙ୍କଗୁଡିକୁ ସୁଧହାର ବିପଦ ନେଇ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ନିୟମିତ ଷ୍ଟ୍ରେସ -ଟେଷ୍ଟ ବା ଚାପ ପରୀକ୍ଷା କରିବାକୁ କହିଥିଲେ । ଆହୁରି ମଧ୍ୟ ଗୁଜରାଟର ଗିଫ୍ଟସିଟିରେ ଥିବା ଆନ୍ତର୍ଜାତିକ ବିତ୍ତୀୟ ସେବା କେନ୍ଦ୍ର ଗୁଡିକରେ ଯେଉଁ ସବୁ ନୂଆ ଶାଖା ଖୋଲିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଏହାର ପୂର୍ଣ୍ଣ ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ । ଏହା ଫଳରେ ଆନ୍ତର୍ଜାତିକ ସୁବିଧା ସୁଯୋଗଗୁଡିକୁ ଚିହ୍ନଟ କରାଯାଇ ପାରିବ ଏବଂ ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ସମ୍ଭାବ୍ୟ ସହାୟତା ନେଇ ହେବ ବୋଲି ସେ କହିଥିଲେ ।

ଏହି ଆଲୋଚନା କାଳରେ ରାଷ୍ଟ୍ରାୟ ବ୍ୟାଙ୍କର ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତରମଣ ଆଉ କେତେକ ପରାମର୍ଶ ଦେଇଥିଲେ । ସେଥିମଧ୍ୟରେ ସରକାରଙ୍କ ନୂଆ ଟିକସ କୋହଳ ନୀତିର ଉପଯୋଗ କରି ବ୍ୟାଙ୍କର ଜମା ବୃଦ୍ଧି କରିବାକୁ ଉଦ୍ୟମ କରିବା, ଦେଶର ଯେଉଁ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ପୁଞ୍ଜିର ଆବଶ୍ୟକତା ରହିଛି ସେଠି ଆବଶ୍ୟକ ପରିମାଣର ଋଣ ଯୋଗାଣ, ଯେଉଁ ରାଜ୍ୟରେ ଜାତୀୟ ହାରଠାରୁ କମ୍ ଋଣ ପ୍ରଦାନ କରାଯାଉଛି ସେଠାରେ ଋଣ ପରିମାଣକୁ ଆନୁପାତିକ ଭାବେ ବଢାଇବା, ଏକ ଜିଲ୍ଲା ଏକ ଉତ୍ପାଦ, ଇ-ନାମ ଓ ଡ୍ରୋନ ଆଦି ନୂଆ କ୍ଷେତ୍ରକୁ ଋଣଯୋଗାଣ ବୃଦ୍ଧି, ଉପକୂଳ ଓ ସୀମାନ୍ତ ଇଲାକାରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଏବଂ ୨୦୨୩-୨୪ ବଜେଟ୍ରେ ଘୋଷଣା କରାଯାଇଥିବା ମହିଳା ସମ୍ମାନ ବଚତ୍ ପତ୍ରକୁ ପ୍ରୋତ୍ସାହିତ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ଆଦି ଅନ୍ୟତମ ।

jayashree
Leave A Reply

Your email address will not be published.