କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

● ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବ
ନୂଆଦିଲ୍ଲୀ, (ପିଆଇବି) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନଜରକୁ ଆସିଛି । ଆଇସିଏମଆରର ନିୟମାବଳୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନୋକ୍ତ ଦୁଇଟି ଶ୍ରେଣୀର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆରଟିପିସିଆର ପରୀକ୍ଷା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।
(୧) ଜ୍ଵର, କଫ ଓ ନିଶ୍ଵାସ ପ୍ରଶ୍ଵାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା
(୨) ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ଵାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ମାତ୍ର ଦୁଇ-ତିନି ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସମସ୍ତ ଲକ୍ଷଣ ଥିବା ସତ୍ଵେ ନେଗେଟିଭ ବାହାରିଥିବା ସମସ୍ତ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷଣଯୁକ୍ତ ମାମଲାଗୁଡିକ ଯେପରି ବିନା ପରୀକ୍ଷାରେ ରହି ଆଉ କାହାକୁ ସଂକ୍ରମିତ ନକରନ୍ତି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି । ଏହାଫଳରେ ସଅଳ ଚିହ୍ନଟ, ଏକାନ୍ତବାସ ଓ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଯେତେବେଳେ ସଂକ୍ରମଣ ଅଧିକରୁ ଅଧିକ ହେଉଥାଏ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏସବୁ ମାମଲାଗୁଡିକ ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଏକ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛି । ଏହି ଟିମଗୁଡିକ ପ୍ରତିଦିନ ଜିଲ୍ଲା ଓ ରାଜ୍ୟରେ ହେଉଥିବା ରାପିଡ଼ ଆଣ୍ଟିଜେନ ପରୀକ୍ଷାଗୁଡିକର ବିଶ୍ଳେଷଣ କରି ସମସ୍ତ ଲକ୍ଷଣଯୁକ୍ତ ନେଗେଟିଭ ମାମଲାଗୁଡିକର ଆରଟିପିସିଆର ଟେଷ୍ଟ ସୁନିଶ୍ଚିତ କରିବେ । ଯେପରି କୌଣସି ପଜିଟିଭ ମାମଲା ବାଦ ନପଡେ ତାହା ଦେଖିବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ନ୍ୟସ୍ତ ହୋଇଛି । ସେମାନଙ୍କୁ ନିୟମିତ ଭାବେ କରାଯାଉଥିବା ଆରଟିପିସିଆର ପରୀକ୍ଷାର ପଜିଟିଭ ମାମଲାଗୁଡିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

3 × 2 =