ଅଯୋଧ୍ୟା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର କାହାଣୀ କହେ

ନୂଆଦିଲ୍ଲୀ, (ପିଆଇବି) : କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି । ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ । ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିପରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି । ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂପ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି । ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର(ସ୍ୟାଣ୍ଡ ଷ୍ଟୋନ)ରେ ନିର୍ମିତ । ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥର (ପିଙ୍କ୍ ସାଣ୍ଡ ଷ୍ଟୋନ) ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି । ଏହି ଅବଦାନ କେବଳ ନିର୍ମାଣ ସମାଗ୍ରୀରେ ସୀମିତ ହୋଇନାହିଁ । ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି । ଏହି ଘଣ୍ଟି ମନ୍ଦିରରେ ଐଶ୍ୱରୀୟ ସଙ୍ଗୀତର ରାଗ ତୋଳିବ । ଏହି ପ୍ରକାଣ୍ଡ ଘଣ୍ଟି ସହିତ ଗୁଜରାଟ ମଧ୍ୟ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ୭୦୦ କେଜିର ଏକ ଆକର୍ଷଣୀୟ ରଥ ପ୍ରଦାନ କରିଛି । ସର୍ବଭାରତୀୟ ଦରବାର ସମାଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ନଗାଡା ଶୈଳୀରେ ଖୋଦିତ ପଥର ରଥ ନିର୍ମାଣ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ କୃଷ୍ଣ ପଥରରେ ତିଆରି ହୋଇଛି ଏବଂ ଏହି ପଥର ଆସିଛି କର୍ଣ୍ଣାଟକରୁ । ଅରୁଣାଚଳ ପ୍ରଦେଶର ହିମାଳୟ ପାଦଦେଶ ଓ ତ୍ରିପୁରାରୁ ସଂଗୃହୀତ ମୂଲ୍ୟବାନ କାଠାରୁ ତିଆରି ହୋଇଛି ମନ୍ଦିରର ଦ୍ୱାର । ଏହା ସହିତ ରହିଛି ହସ୍ତତନ୍ତ ନିର୍ମିତ ସୁନ୍ଦର ରଙ୍ଗୀନ ବସ୍ତ୍ର ଯାହା ପ୍ରବେଶ ପଥରେ ଲାଗିବ । ସୁରମ୍ୟ ମନ୍ଦିର ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀର ତାଲିକା ଏତିକିରେ ଶେଷ ହୋଇନାହିଁ । ଉତ୍ତର ପ୍ରଦେଶରୁ ଆସିଛି ପିତ୍ତଳ ଉପକରଣ, ମହାରାଷ୍ଟ୍ର ଯୋଗାଇଛି ପାଲିସ ହୋଇଥିବା ଶାଗୁଆନ କାଠ । ରାମନ୍ଦିରର କାହାଣୀ କେବଳ ସାମଗ୍ରୀ ଓ ତାହାର ଭୌଗୋଳିକ ଉତ୍ପତ୍ତିସ୍ଥଳରେ ସୀମିତ ହୋଇ ରହିନାହିଁ । ସମଗ୍ର ଦେଶରୁ ଅଗଣିତ ପ୍ରତିଭାବାନ କାରିଗର, ଶିଳ୍ପୀ ଓ ନିର୍ମାଣକାରୀ ଏହି ପବିତ୍ର ପ୍ରୟାସରେ କାୟ ମନ ବାକ୍ୟରେ ସାମିଲ ହୋଇ ନିଜ କୁଶଳତା ବିନିଯୋଗ ପର୍ଯ୍ୟନ୍ତ ଏହାକୁ ସରସ ସୁନ୍ଦର କରିଛନ୍ତି । ରାମ ମନ୍ଦିର ଅଯୋଧ୍ୟାର ଏକ କୀର୍ତ୍ତିରାଜି କେବଳ ନୁହେଁ, ଏହା ଭାରତର ବିଶ୍ୱାସର ଏକୀକରଣ ଶକ୍ତିର ଏକ ଜୀବନ୍ତ ଉଦାହରଣ । ମନ୍ଦିରର ପ୍ରତ୍ୟେକ ଶୀଳା, ପ୍ରତ୍ୟେକ ଖୋଦେଇ, ପ୍ରତ୍ୟେକ ଘଣ୍ଟି, ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଓ ବସ୍ତ୍ର “ଏକ ଭାରତ ଶ୍ରେଷ୍ଠ ଭାରତ”ର ବାର୍ତ୍ତା ବହନ କରେ । ଏହା ଭୌଗୋଳିକ ସୀମାରେଖାକୁ ଅତିକ୍ରମ କରିବା ସହିତ ଏକ ସମ୍ମିଳିତ ଆଧ୍ୟାତ୍ମିକ ଯାତ୍ରାରେ ଅଗଣିତ ହୃଦୟକୁ ଏକତ୍ର କରୁଛି ।

Leave A Reply

Your email address will not be published.

eight + twelve =

error: Content is protected !!